Categories: ଜାତୀୟ

ମୋଦି ମିଛୁଆଙ୍କ ସର୍ଦ୍ଦାର: ଖାର୍ଗେ

ଜୟପୁର,୫ା୪(ପି.ଟି.):କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଛୁଆଙ୍କ ସର୍ଦ୍ଦାର ବୋଲି କହିଛନ୍ତି। ଭାରତୀୟ ଅଞ୍ଚଳ ମଧ୍ୟରେ ଚାଇନା ଅନୁପ୍ରବେଶ କରୁଥିବାବେଳେ ପ୍ରଧାନମନ୍ତ୍ରୀ ଶୋଇଯାଉଥିବା ସେ ଅଭିଯୋଗ କରିଛନ୍ତି। ରାଜସ୍ଥାନର ଚିତ୍ତୋରଗଡ଼ରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଖାର୍ଗେ କହିଥିଲେ, ମୋଦି ଦେଶ ପାଇଁ ଚିନ୍ତା କରୁନାହାନ୍ତି। ବରଂ ଦେଶ ପାଇଁ ଜୀବନ ଦେଇଥିବା ଗାନ୍ଧୀ ପରିବାରର ସଦସ୍ୟମାନଙ୍କୁ ଗାଳି ଦେବାରେ ସେ ବ୍ୟସ୍ତ ରହୁଛନ୍ତି। ପ୍ରଧାନମନ୍ତ୍ରୀ ପୂର୍ବରୁ କହିଥିଲେ, ତାଙ୍କର ୫୬ ଇଞ୍ଚ ଛାତି ଓ ସେ ଭୟ କରନ୍ତି ନାହିଁ। ଯଦି ଆପଣ ଭୟ କରୁ ନାହାନ୍ତି, ତେବେ ଆମର ଏକ ବୃହତ୍‌ ଅଞ୍ଚଳକୁ ଚାଇନା ହାତରେ ଟେକିଦେଲେ କାହିଁକି। ଚାଇନା ସୈନ୍ୟ ଅନୁପ୍ରବେଶ କଲାବେଳେ ନିଦ ବଟିକା ଖାଉଛ ନା ସେମାନେ ରାଜସ୍ଥାନ କ୍ଷେତରୁ ଅଫିମ ନେଇ ଆପଣଙ୍କୁ ଖୁଆଉଛନ୍ତି ବୋଲି ଖାର୍ଗେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ବିପକ୍ଷ ନେତାମାନଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼କର କାର୍ଯ୍ୟାନୁଷ୍ଠାନକୁ ନେଇ ଖାର୍ଗେ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦୁର୍ନୀତିଗ୍ରସ୍ତ ନେତା ଭାଜପାକୁ ଯିବା ମାତ୍ରେ ଦୋଷମୁକ୍ତ ହୋଇଯାଉଥିବା ସେ କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ପାଖରେ ଏକ ବଡ଼ ଓ୍ବାଶିଂ ମେଶିନ ରହିଥିବା ଖାର୍ଗେ କଟାକ୍ଷ କରିଛନ୍ତି। ଯେପର୍ଯ୍ୟନ୍ତ ନେତାମାନେ ଆମ ପାଖରେ ଅଛନ୍ତି, ସେମାନେ ଦୁର୍ନୀତିଗ୍ରସ୍ତ। ଭାଜପା ପାଖକୁ ଗଲେ ସେମାନେ ମାସକ ମଧ୍ୟରେ ସ୍ବଚ୍ଛ ହୋଇଯାଉଛନ୍ତି। ଭାଜପାରେ ଥିବା ଲୋକମାନେ ଜାଲ୍‌ ଓ ମିଛୁଆ ଏବଂ ମୋଦି ମିଛୁଆ ମାନଙ୍କ ସର୍ଦ୍ଦାର। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ଆୟକର ବିଭାଗ କଂଗ୍ରେସ ନେତାଙ୍କ ପଛରେ ପଡ଼ିଥିବା ଖାର୍ଗେ କହିଛନ୍ତି।
ସୂଚନାଯୋଗ୍ୟ, ଚାଇନା ପ୍ରକୃତ ନିୟନ୍ତ୍ରଣ ରେଖା ଅନ୍ତର୍ଗତ ପୂର୍ବ ଲଦାଖର ସୀମାନ୍ତ ଅଞ୍ଚଳକୁ ଅକ୍ତିଆର କରି ନିଜର ବୋଲି ଦାବି କରୁଥିବା ବେଳେ ନିକଟରେ ଅରୁଣାଚଳ ପ୍ରଦେଶର ୩୦ଟି ସ୍ଥାନର ନାଁ ବଦଳାଇ ଦେଇଛି।

Share