ପୁଣି ଅଡୁଆରେ ସର୍ବେଶ୍ୱର ବେହୁରା

ଯାଜପୁର,୩୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଜଣାଶୁଣା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ପୁଣି ଅଡୁଆରେ ପଡିଛନ୍ତି। ମୋରମ, ମାଟି ଲୁଟ୍‌ ଅଭିଯୋଗରେ ତାଙ୍କ ନାମରେ ବାଲିଚନ୍ଦ୍ରପୁର ଓ ଧର୍ମଶାଳା ଥାନାରେ ମାମଲା ରୁଜୁ ହୋଇଛି। ପ୍ରାୟ ୩ ମାସ ହେବ ବେହୁରା ଫେରାର ଅଛନ୍ତି। ଏହାବାଦ୍‌ ସର୍ବେଶ୍ୱର ଲୋକାୟୁକ୍ତ ଓ ସୂଚନା ଅଧିକାର ଆଇନକୁ ଢାଲ କରି ସରକାରୀ କର୍ମଚାରୀ, ଲଘୁ ଖଣିଜ ସମ୍ପଦ ଲିଜ୍‌ଧାରୀ, ଠିକାଦାର ଓ ବ୍ୟବସାୟୀଙ୍କଠାରୁ ଅର୍ଥ ଆଦାୟରେ ମାତିଥିଲେ ବୋଲି ରମାକାନ୍ତ ଜେନା ଲୋକାୟୁକ୍ତରେ ୩୨୬/୨୦୨୩ରେ ଏକ ମାମଲା ରୁଜୁ କରିଛନ୍ତି। ଏହାର ବିଚାର କରି ଲୋକାୟୁକ୍ତ ଅଧ୍ୟକ୍ଷ ମାମଲାର ପ୍ରାଥମିକ ତଦନ୍ତ କରି ୩ା୧୦ା୨୦୨୩ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କଟକ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଭିଯୋଗ ଉପରେ ସର୍ବେଶ୍ୱର ବେହୁରାଙ୍କ ସ୍ତ୍ରୀ ରିଲୁ ବେହେରା ପ୍ରତିବାଦ କରିଛନ୍ତି। ଉକ୍ତ ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ଲୋକାୟୁକ୍ତରେ ସେ ପୂର୍ବରୁ ଦର୍ଶାଇଛନ୍ତି।
ପୂର୍ବରୁ ଦର୍ପଣ ତହସିଲ ଅନ୍ତର୍ଗତ ମାଣ୍ଡୁକା ମୌଜାର ୩୬୧୧ ପ୍ଲଟରେ ୧୨ ଏକର ଜମିରେ ମୋରମ ଉତ୍ତୋଳନ କରିବାକୁ ଭୁବନେଶ୍ୱର ବାବୁଜୀ ନଗରର ହରପ୍ରସାଦ ଷଡଙ୍ଗୀଙ୍କୁ ତହସିଲ ପକ୍ଷରୁ ଅନୁମତି ମିଳିଥିଲା। ଅନୁମତି ଅନୁସାରେ ବର୍ଷକୁ ୧ କୋଟି ଟଙ୍କା ହିସାବରେ ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ୫ ବର୍ଷ ଦୀର୍ଘମିଆଦୀ ଲିଜ୍‌ ଦିଆଯାଇଛି। ହେଲେ ଲିଜ୍‌ ଏରିଆ ବାହାରେ ୩୬୧୦ ନମ୍ବର ପ୍ଲଟରୁ ମୋରମ ବେଆଇନ ଭାବେ ଉତ୍ତୋଳନ ହେଉଥିବା ଅଭିଯୋଗ ପାଇ ୨ା୭ା୨୦୨୩ରେ ତହସିଲ ପ୍ରଶାସନ ପକ୍ଷରୁ ଚଢାଉ ହୋଇଥିଲା। ଏଥିରେ ସର୍ବେଶ୍ୱର ବେହୁରାଙ୍କ ଏକ୍ସାଭେଟର ନିୟୋଜିତ ହୋଇଥିବା ତଦନ୍ତରେ ଜଣାପଡ଼ିଥିଲା। ଏହାପରେ ବାଲିଚନ୍ଦ୍ରପୁର ଥାନାରେ ସର୍ବେଶ୍ୱରଙ୍କ ନାମରେ ୨୩୬/୨୦୨୩ ନମ୍ବରରେ ମାମଲା ରୁଜୁ ହୋଇଛି। ସେହିପରି ୧୩ା୬ା୨୦୨୩ରେ ଧର୍ମଶାଳା ତହସିଲଦାର ଏବଂ ତାଙ୍କ ଟିମ୍‌ ସାରୋଇ ମୌଜାର ଏକ ସରକାରୀ ଜମିରୁ ମୋରମ ଉତ୍ତୋଳନ ହେଉଥିବାବେଳେ ଚଢାଉ କରିଥିଲେ। ଏଥିରେ ୫ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ମେଶିନ ଜବତ କରାଯାଇଥିଲା। ସେଠାରୁ ପ୍ରାୟ ୧୦୦ ଟ୍ରିପ୍‌ ମୋରମ ଉତ୍ତୋଳନ କରାଯାଇ ସର୍ବେଶ୍ୱରଙ୍କ ଜମିରେ ପୋତା ଯାଇଥିବା ତଦନ୍ତରେ ଜଣାପଡ଼ିଥିଲା। ଏହାପରେ ତାଙ୍କ ନାମରେ ଧର୍ମଶାଳା ଥାନାରେ ୩୮୪/୨୦୨୩ରେ ଏକ ମାମଲା ରୁଜୁ କରାଯାଇଛି। ଉପରୋକ୍ତ ୨ଟି ମାମଲା ବିଚାରାଧୀନ ଥିବାବେଳେ ଲୋକାୟୁକ୍ତରେ ପୁଣି ଏକ ମାମଲା ସର୍ବେଶ୍ୱରଙ୍କ ପାଇଁ ଅଡୁଆ ବଢ଼ାଇବ ବୋଲି ଚର୍ଚ୍ଚା ହେଉଛି।