ନୂଆଦିଲ୍ଲୀ,୧୩।୫: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଇଂଲଣ୍ଡର ପୂର୍ବତନ ମହିଳା ଉଇକେଟକିପର ସାରା ଟେଲରଙ୍କୁ ପୁରୁଷ ଦଳର ଫିଲ୍ଡିଂ କୋଚ ଭାବେ ନିଯୁକ୍ତ କରାଯାଇଛି।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୪ ଜୁନରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ସାରା ଟେଲରଙ୍କୁ ଏହି ବଡ଼ ଦାୟିତ୍ୱ ମିଳିଛି। କ୍ରିକେଟ ଇତିହାସରେ ଏହା ଏକ ବିରଳ ଘଟଣା, ଯେଉଁଠି ଜଣେ ମହିଳା ଖେଳାଳି ପୁରୁଷ ଦଳକୁ ପ୍ରଶିକ୍ଷଣ ଦେବେ।
ସାରା ଟେଲରଙ୍କ ଗୌରବମୟ କ୍ୟାରିୟର ଦେଖିଲେ ସେ ଇଂଲଣ୍ଡ ମହିଳା ଦଳକୁ ଦୁଇଟି ଦିନିକିଆ ବିଶ୍ୱକପ ଏବଂ ଗୋଟିଏ ଟି-୨୦ ବିଶ୍ୱକପ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ତିନିଥର ଆସେସ ସିରିଜ ବିଜେତା ଦଳର ସଦସ୍ୟା ରହିଛନ୍ତି।ସେ ଦୁଇଥର (୨୦୧୨, ୨୦୧୩) ଟି-୨୦ କ୍ରିକେଟର ଅଫ ଦି ଇୟର ଏବଂ ଥରେ (୨୦୧୪) ଦିନିକିଆ କ୍ରିକେଟର ଅଫ ଦି ଇୟର ଭାବେ ନିର୍ବାଚିତ ହୋଇଛନ୍ତି।
ସାରାଙ୍କ ନାମରେ ମାତ୍ର ୯ ଦିନ ମଧ୍ୟରେ କ୍ରିକେଟର ତିନୋଟି ଯାକ ଫର୍ମାଟ (ଟେଷ୍ଟ, ଦିନିକିଆ ଏବଂ ଟି-୨୦) ରେ ଡେବ୍ୟୁ କରିବାର ବିଶ୍ୱ ରେକର୍ଡ ରହିଛି। ପୁରୁଷ କିମ୍ବା ମହିଳା କ୍ରିକେଟରେ ଏପର୍ଯ୍ୟନ୍ତ କେହି ଏହି ରେକର୍ଡ ଭାଙ୍ଗି ପାରିନାହାନ୍ତି। ୨୦୧୯ ମସିହାରେ ସେ ହଠାତ ଅବସର ଘୋଷଣା କରିଥିଲେ। ସେ ସେହି ସମୟରେ ମାନସିକ ଚିନ୍ତା ବା ‘ଏଙ୍ଗଜାଇଟି’ (Anxiety) ସମସ୍ୟା ଦେଇ ଗତି କରୁଥିଲେ। ସେ ନିଜ କ୍ୟାରିୟରରେ ଦିନିକିଆରେ ୪୦୫୬ ରନ୍ ଏବଂ ଟି-୨୦ରେ ୨୧୭୭ ରନ୍ ସଂଗ୍ରହ କରିଛନ୍ତି। ଏହା ସହିତ ଉଇକେଟ ପଛରେ ୧୦୦ରୁ ଅଧିକ କ୍ୟାଚ୍ ମଧ୍ୟ ଧରିଛନ୍ତି।