Categories: ଖେଳ

ପାର୍ଟନର ମା’ ହେବା ଖବର ଦେଇ ଚର୍ଚ୍ଚାରେ ସାରା

ଲଣ୍ଡନ,୨୨।୨: ଇଂଲଣ୍ଡର ପୂର୍ବତନ ମହିଳା କ୍ରିକେଟର ସାରା ଟେଲର ଏକ ଖୁସି ଖବର ନିଜ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ସୋସିଆଲ ମିଡିଆରେ ସେ ତାଙ୍କ ସାଥୀ ଡାଏନାଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ଡାଏନାଙ୍କ ଗର୍ଭଧାରଣ ପରୀକ୍ଷାକୁ ପଜିଟିଭ କହୁଥିବାର ନଜର ଆସିଛନ୍ତି। ଏହା ସହିତ ସେ ଅଲ୍‌ଟ୍ରାସାଉଣ୍ଡ୍‌ର ଫଟୋ ମଧ୍ୟ ଶେୟାର କରିଛନ୍ତି। ଫଟୋରେ ଡାଏନାଙ୍କ ଗର୍ଭରେ ଶିଶୁ ମଧ୍ୟ ସ୍ପଷ୍ଟ ଦେଖାଯାଉଛି। ସାରାଙ୍କ ଏହି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ସାରା ଟେଲର ଏହି ଦୁଇଟି ଫଟୋ ସହିତ ଲେଖିଛନ୍ତି, ମା’ ହେବା ମୋର ସାଥୀଙ୍କ ସ୍ବପ। ଏହି ଯାତ୍ରା ଆଦୌ ସହଜ ନ ଥିଲା, କିନ୍ତୁ ଡାଏନା ହାର ମାନି ନ ଥିଲେ। ମୁଁ ଜାଣେ ସେ ସର୍ବଶ୍ରେଷ୍ଠ ମା’ ହେବେ ଏବଂ ମୁଁ ଏହାର ଅଂଶ ହୋଇଥିବାରୁ ବହୁତ ଖୁସି। ବର୍ତ୍ତମାନ ୧୯ ସପ୍ତାହ ବାକି ଅଛି ଏବଂ ଏହା ପରେ ଜୀବନ ସଂପୂର୍ଣ୍ଣ ବଦଳିଯିବ।
ସାରା ଏହି ପୋଷ୍ଟ ସହିତ ଏଲଜିବିଟିର ଇନ୍ଦ୍ରଧନୁ ଇମୋଜି ମଧ୍ୟ ରଖିଛନ୍ତି। ସାରାଙ୍କ ଏହି ପୋଷ୍ଟକୁ କ୍ରିକେଟ ପ୍ରଶଂସକମାନେ ପ୍ରତିକ୍ରିୟା ଦେଇଛନ୍ତି। ପ୍ରଶଂସକମାନେ କେବଳ ଏହି ଦମ୍ପତିଙ୍କୁ ମା’ ହେବାର ଅଭିନନ୍ଦନ ଜଣାଇ ନାହାଁନ୍ତି, ବରଂ ସେମାନଙ୍କର ଯାତ୍ରା, ସଂଘର୍ଷ ଏବଂ ଜୀବନଶୈଳୀକୁ ମଧ୍ୟ ପ୍ରଶଂସା କରୁଛନ୍ତି। ସାରାଙ୍କ ଏହି ପୋଷ୍ଟରେ ଅଷ୍ଟ୍ରେଲୀୟ ଭେଟେରାନ ଆଦାମ ଗିଲକ୍ରିଷ୍ଟ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
୨୦୧୯ରେ ଇଂଲଣ୍ଡର ଉଇକେଟକିପର ବ୍ୟାଟ୍ସମ୍ୟାନ ସାରା ଟେଲର ଅନ୍ତର୍ଜାତୀୟ କ୍ରିକେଟ ସହିତ ବିଦାୟ ନେଇଥିଲେ। ସେ ମହିଳା କ୍ରିକେଟ ଇତିହାସରେ ସର୍ବଶ୍ରେଷ୍ଠ ଉଇକେଟ କିପର ତଥା ସଫଳ ଖେଳାଳି ଭାବରେ ବିବେଚିତ ହୋଇଥିଲେ। ସେ ତିନିଥର ଆଇସିସି ମହିଳା କ୍ରିକେଟର ଅଫ୍‌ ଦ ଇୟର୍‌ ହୋଇଛନ୍ତି। ସେ ଇଂଲଣ୍ଡର ଦିନିକିଆ ବିଶ୍ୱକପ ୨୦୧୭ ଏବଂ ଟି -୨୦ ବିଶ୍ୱକପ ୨୦୦୯ ବିଜେତା ସ୍କ୍ବାଡର ମଧ୍ୟ ଅଂଶ ଗ୍ରହଣ କରିଛନ୍ତି।

Share