Categories: ଖେଳ

ସ୍ତ୍ରୀଙ୍କୁ ଆଲମାରୀ ଭିତରେ ଲୁଚାଇ ବିଶ୍ୱକପ୍‌ ଖେଳିଥିଲେ ଏହି କ୍ରିକେଟର୍‌

ବିଶ୍ୱକପ ସମୟରେ ଭାରତ, ପାକିସ୍ଥାନ ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ସାଧାରଣତଃ ଖେଳାଳିମାନଙ୍କୁ ପରିବାରଠାରୁ ଦୂରରେ ରଖିବାକୁ ନିଷ୍ପତ୍ତି ନେଇଥାଏ। ଖେଲାଳିମାନେ କେବଳ କ୍ରିକେଟ ଉପରେ ଧ୍ୟାନ ଦେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଏ। ଖେଳାଳିମାନେ ମଧ୍ୟ କ୍ରିକେଟ ବୋର୍ଡର ଏହି ନିୟମ ମାନନ୍ତି। କିନ୍ତୁ ପାକିସ୍ତାନର ଜଣେ କିମ୍ବଦନ୍ତୀ ଖେଳାଳି ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ବିଶ୍ୱକପ ସମୟରେ ପିସିବିଙ୍କ ଅନୁମତି ବିନା ସେ ପତ୍ନୀଙ୍କୁ ପାଖରେ ରଖିଥିଲେ।
୧୯୯୯ ବିଶ୍ୱକପ ସମୟରେ ନିଜ ପତ୍ନୀଙ୍କୁ ଆଲମାରୀରେ ଲୁଚାଇ ରଖିଥିଲେ ବୋଲି ପାକିସ୍ତାନର ପୂର୍ବତନ ଅଫ-ସ୍ପିନର ସାକଲିନ୍‌ ମୁସ୍ତାକ ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ୧୯୯୯ରେ ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ ସମୟରେ ପିସିବି ହଠାତ୍‌ ନିର୍ଦ୍ଦେଶ ଦେଇଥିଲା ଯେ ଖେଳାଳିଙ୍କ ପତ୍ନୀ ସେମାନଙ୍କଠାରୁ ଅଲଗା ହେବା ଉଚିତ୍‌। ୧୯୯୮ ଡିସେମ୍ବରରେ ବିବାହ କରିଥିଲି। ମୋ ପତ୍ନୀ ଲଣ୍ଡନରେ ରହୁଥିଲେ ଏବଂ ମୁଁ ଦିନରେ ଅଭ୍ୟାସ କରୁଥିଲି ଏବଂ ସାରେ ମୋ ପତ୍ନୀଙ୍କ ସହ ସମୟ କଟାଉଥିଲି। କିନ୍ତୁ ହଠାତ୍‌ ପିସିବି ପରିବାରକୁ ପଠାଇବାକୁ ନିର୍ଦ୍ଦେଶ ଦେଲା ଏବଂ ମୁଁ ସ୍ଥିର କଲି ଯେ ମୁଁ ଏହି ନିୟମ ପାଳନ କରିବି ନାହିଁ।

ସାକଲିନ୍‌ କହିଛନ୍ତି ଯେ ସେ ତାଙ୍କ ପତ୍ନୀଙ୍କୁ ପିସିବି ଅଧିକାରୀ ଏବଂ ଖେଳାଳିଙ୍କ ଠାରୁ ଲୁଚାଇ ରଖିଥିଲେ। ଯେତେବେଳେ କେହି ତାଙ୍କ କୋଠରୀକୁ ଆସୁଥିଲେ। ସେ ନିଜ ପତ୍ନୀଙ୍କୁ ଆଲମାରୀରେ ଲୁଚାଇ ରଖୁଥିଲେ। ସାକଲେନ କହିଛନ୍ତି, ଟିମ ମ୍ୟାନେଜର ଏବଂ କୋଚ ଆମ କୋଠରୀକୁ ଯାଞ୍ଚ ପାଇଁ ଆସୁଥିଲେ। ଖେଳାଳିମାନେ ମଧ୍ୟ ଆସୁଥିଲେ। ଦିନେ ମୋ ରୁମର କବାଟ ବାଜିଲା ଏବଂ ମୁଁ ପତ୍ନୀଙ୍କୁ ଆଲମାରୀରେ ଲୁଚାଇ ଦେଲି। ଏହା ପରେ ମହମ୍ମଦ ୟୁସୁଫ ଏବଂ ଅଜହର ମେହମୁଦ ମୋ ରୁମକୁ ଆସିଲେ ଏବଂ ମୁଁ ମୋ ପତ୍ନୀଙ୍କୁ ପୁଣି ଆଲମିରା ଭିତରେ ଲୁଚିବାକୁ କହିଲି। କିନ୍ତୁ ସେ କୌଣସିମତେ ଜାଣି ପାରିଲେ। ତା’ପରେ ମୋତେ ତାଙ୍କୁ ସତ କହିବାକୁ ପଡିଲା।

Share