ସନ୍ତୋଷ ତ୍ରିପାଠୀ ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ଫକୀର ମୋହନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯାଇଛି। ଗୁରୁବାର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଏ ନେଇ ଏକ ଆଦେଶନାମା ଜାରି ହୋଇଛି। ପ୍ରଫେସର
ତ୍ରିପାଠୀ ୪ବର୍ଷ ପାଇଁ କୁଳପତି ପଦରେ ରହିବେ। କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ଓ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସେ କୁଳପତି ଦାୟିତ୍ୱ ତୁଲାଇବେ। ପ୍ରଫେସର ତ୍ରିପାଠୀ ଉତ୍କଳ ବିଶ୍ୱବିଦ୍ୟାଳୟର ପର୍ସନେଲ ମ୍ୟାନେଜମେଣ୍ଟ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିଲେସନ୍ସ (ପିଏମ୍‌ ଆଣ୍ଡ୍‌ ଆଇଆର୍‌) ବିଭାଗର ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ୩୦ ବର୍ଷରୁ ଊର୍ଦ୍ଧ୍ୱ ଅଭିଜ୍ଞତା ରହିଛି। ସେ ପ୍ରାୟ ୧୩ଟି ପୁସ୍ତକ ରଚନା ଓ ସମ୍ପାଦନା କରିଛନ୍ତି। ସେହିପରି ୧୭ ପିଏଚ୍‌ଡି ଏବଂ ୪୦ ଏମ୍‌ଫିଲ୍‌ ସ୍କଲାରଙ୍କୁ ଗାଇଡ୍‌ କରିଛନ୍ତି। ସେ ୧୯୮୪ରେ ପିଜିରେ ପ୍ରଥମ ସ୍ଥାନ ହାସଲ କରି ବିଶ୍ୱବିଦ୍ୟାଳୟ ସ୍ବର୍ଣ୍ଣ ପଦକ ପାଇଥିଲେ। ଏହି ସଫଳତା ପାଇଁ ତାଙ୍କୁ ୧୯୮୫ରେ ଏନ୍‌ଆଇପିଏମ୍‌ ପୁରସ୍କାର ମିଳିଥିଲା। ସେ ୨୦୦୨ରୁ ୨୦୦୫ ପର୍ଯ୍ୟନ୍ତ ୟୁଜିସି ରିସର୍ଚ୍ଚ ଆଓ୍ବାର୍ଡ ମଧ୍ୟ ପାଇଥିଲେ।