ସ୍କୁଲରେ ବାଜିବ ବେଲ, ହେଲେ ଆଉ ବଜାଇବେନି ସନ୍ତୋଷ

ଭଞ୍ଜନଗର,୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂସ୍ଥିତ କାହ୍ନୁ ରାଉତ ଉଚ୍ଚ ବିଦ୍ୟାଳୟର ପିଅନ ସନ୍ତୋଷ ଗୌଡ଼ (୫୮)ଙ୍କ ବୁଧବାର ଅକାଳ ବିୟୋଗରେ ବିଦ୍ୟାଳୟ ପରିସରରେ ଶୋକର ଛାୟା ଖେଳିଯାଇଛି। ବୁଧବାର ସକାଳୁ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ ଓ ଅଭିଭାବକମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସନ୍ତୋଷ ଜଣେ ମେଳାପୀ, ମିଷ୍ଟଭାଷୀ ଓ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ ସମସ୍ତଙ୍କ ପ୍ରିୟ ଥିଲେ। ବିଶେଷକରି ଛାତ୍ରଛାତ୍ରୀଙ୍କ ସହ ତାଙ୍କର ଆତ୍ମୀୟ ସମ୍ପର୍କ ଥିଲା। ବିଦ୍ୟାଳୟରେ ସମୟ ଅନୁଯାୟୀ ବେଲ ବଜାଇବାଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ସେ ନିଜକୁ ନିୟୋଜିତ ରଖୁଥିଲେ। ତାଙ୍କ ଅନୁପସ୍ଥିତିରେ ବିଦ୍ୟାଳୟର ପରିଚିତ ବେଲ ଶବ୍ଦ ମଧ୍ୟ ଆଜି ଅନେକଙ୍କୁ ନିରବ ଲାଗୁଛି।
ସନ୍ତୋଷଙ୍କ ସ୍ମୃତିରେ ବୁଧବାର ବିଦ୍ୟାଳୟ ପରିସରରେ ଏକ ଶୋକସଭା ଆୟୋଜିତ ହୋଇଥିଲା। ପ୍ରଧାନଶିକ୍ଷକ ଦେବଦତ୍ତ କହଁର ସଭାରେ ଅଧ୍ୟକ୍ଷତା କରି ସନ୍ତୋଷଙ୍କ କାର୍ଯ୍ୟନିଷ୍ଠା ଓ ଛାତ୍ରଛାତ୍ରୀଙ୍କ ପ୍ରତି ତାଙ୍କର ସ୍ନେହପୂର୍ଣ୍ଣ ବ୍ୟବହାରକୁ ସ୍ମରଣ କରିଥିଲେ। ଉପସ୍ଥିତ ଛାତ୍ରୀଛାତ୍ର, ଶିକ୍ଷକ ଓ କର୍ମଚାରୀମାନେ ତାଙ୍କ ଆତ୍ମାର ସଦ୍ଗତି କାମନା କରି ନିରବ ପ୍ରାର୍ଥନା କରିଥିଲେ।

ସୂଚନାଯୋଗ୍ୟ, ବୁଧବାର ସକାଳେ ଲାଲସିଂସ୍ଥିତ ନିଜ ଘରେ ସନ୍ତୋଷ ଅସୁସ୍ଥ ଅନୁଭବ କରିଥିଲେ। ପରିବାରଲୋକେ ତାଙ୍କୁ ତୁରନ୍ତ ଭଞ୍ଜନଗର ହସ୍ପିଟାଲ୍‌କୁ ନେଇଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

 

Dharitri – Odisha’s No.1 Odia Daily

 

Share