ରାୟଗଡ଼ା,୨୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସଦର ବ୍ଲକ୍ ଜେମାଦେଈପେଣ୍ଠସ୍ଥିତ କଳିଙ୍ଗା ଉଚ୍ଚ ବିଦ୍ୟାଳୟ ସଂସ୍କୃତ ଶିକ୍ଷକ ପଞ୍ଚାନନ ଚୌଧୁରୀ(୫୫)ଙ୍କ ସୋମବାର ଏକ ମାଲବାହୀ ଟ୍ରେନ୍ ଧକ୍କାରେ ମୃତ୍ୟୁ ହୋଇଛି । ବିଦ୍ୟାଳୟ ନିକଟସ୍ଥ ଜାଙ୍ଗିଡି ଯିବା ରେଳ ଫାଟକରେ ଏକ ମାଲବାହୀ ଟ୍ରେନ ଚକା ତଳେ ଚାପି ହୋଇଯିବାରୁ ରେଳ ଧାରଣାରେ ତାଙ୍କର ଖଣ୍ଡବିଖଣ୍ଡତ ମୃତଦେହ ପଡି ରହିଥିଲା ।
ଏ ନେଇ ଫାଟକ କର୍ମଚାରୀ ଜେମାଦେଈପେଣ୍ଠ ରେଳ ଷ୍ଟେଶନ ମାଷ୍ଟରଙ୍କୁ ଅବଗତ କରାଇବା ପରେ ସେ ରାୟଗଡ଼ା ଜିଆରପିଏସ୍କୁ ଖବର ଦେଇଥିଲେ। ଜିଆରପି ଥାନା ନିରୀକ୍ଷକ ବିନୟ ପ୍ରକାଶ ମିଞ୍ଜଙ୍କ ନେତୃତ୍ୱରେ ତଦନ୍ତକାରୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।
ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାସ୍ଥଳରେ ମୃତକଙ୍କ ନିକଟରୁ ଏକ ଚଷମା, ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ପକ୍ଷରୁ ମିଳିଥିବା ଏକ କାରଣ ଦର୍ଶାଅ ନୋଟିସ ଆଦି ଜବତ କରାଯାଇଛି। ଅପରପକ୍ଷେ ମିଳିଥିବା କାରଣ ଦର୍ଶାଅ ନୋଟିସରେ ମୃତ ଶିକ୍ଷକ ଚାଲିଥିବା ମାଟ୍ରିକ ପରୀକ୍ଷାରେ ଗତ ୨୧ତାରିଖରେ ଅନୁପସ୍ଥିତ ରହିଥିବା ଏବଂ ଛୁଟି ପାଇଁ ମଧ୍ୟ ପ୍ରଧାନଶିକ୍ଷକଙ୍କ ନିକଟରେ କୌଣସି ଦରଖାସ୍ତ ଆବେଦନ କରି ନ ଥିବାରୁ ଡ୍ୟୁଟିରେ ଅବହେଳା ପାଇଁ ୨ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ ଏବଂ କାହିଁକି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ତାଙ୍କ ବିରୋଧରେ ଗ୍ରହଣ କରାଯିବ ନାହିଁ ବୋଲି ଉଲ୍ଲେଖ ରହିଛି।
ତେବେ ଏହା ଏକ ଆତ୍ମହତ୍ୟା ନା ଦୁର୍ଘଟଣା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଆଶଙ୍କା କରିଥିବା ଜଣାପଡୁଛି । ତାଙ୍କ ଘର ଗଜପତି ଜିଲା ଖାରେଡ଼ା ଗ୍ରାମରେ ହୋଇଥିବା ବେଳେ ସେ ରାୟଗଡ଼ା ସହରର ରାଣୀଗୁଡା ଫାର୍ମ ଅଞ୍ଚଳର ସୁବାଷନଗର ପ୍ରଥମ ଗଳିରେ ରହୁଥିଲେ । ସ୍ବର୍ଗତ ଚୌଧୁରୀ ଜଣେ ମିଷ୍ଟଭାଷୀ ଓ ମେଳାପୀ ବ୍ୟକ୍ତି ହୋଇଥିବାରୁ ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଏବଂ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି ।

