Categories: ଖେଳ

ଜାଡେଜାଙ୍କ ହେଲ୍‌ମେଟ୍‌ରେ ବାଜିଥିଲା ବାଉନ୍‌ସର, ଡ୍ରେସିଂ ରୁମ୍‌ ଆସିବା ପରେ ମୁଣ୍ଡ ବୁଲାଉଥିଲା: ସାମ୍‌ସନ

ନୂଆଦିଲ୍ଲୀ,୫।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ କନ୍‌କସନ ସବ୍‌ଷ୍ଟିଚ୍ୟୁଟ୍‌ ହିସାବରେ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ସାମିଲ ହୋଇଥିଲେ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ। ମିଳିଥିବା ସୁଯୋଗର ଲାଭ ଉଠାଇ ଚହଲ ଦମ୍‌ଦାର ବୋଲିଂ କରି ଭାରତ ଜିତିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏପରିକି ତାଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚନା କରାଯାଇଥିଲା। ମ୍ୟାଚ୍‌ ପରେ ଭାରତୀୟ ଖେଳାଳି ସଞ୍ଜୁ ସାମସନ୍‌ ଭର୍ଚୁଆଲ ମିଡିଆ କନ୍‌ଫରେନ୍ସରେ ଯୋଗଦେଇ ଖବରଦାତାଙ୍କୁ ଜାଡେଜାଙ୍କ ବିଷୟରେ କହିଛନ୍ତି, ଅନ୍ତିମ ଓଭରର ଦ୍ୱିତୀୟ ବଲ୍‌ରେ ଅଷ୍ଟ୍ରେଲିଆ ଯୁବ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଏକ ବାଉନ୍‌ସର ଜାଡେଜାଙ୍କ ହେଲମେଟ୍‌ରେ ବାଜିଥିଲେ। ଏହା ପରେ ସେ ବ୍ୟାଟିଂ ଜାରି ରଖିଥିଲେ ହେଁ ରନ୍‌ ନେବା ବେଳେ ସଂଘର୍ଷ କରୁଥିବାର ଦେଖାଯାଇଥିଲା। ଡ୍ରେସିଂ ରୁମ୍‌କୁ ଆସିବା ସମୟରେ ତାଙ୍କ ମୁଣ୍ଡ ବୁଲାଉଥିଲା। ଏଣୁ ଦଳର ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କ ଉପରେ ନଜର ରଖାଯାଇଛି ବୋଲି ସେ କହିଛନ୍ତି। ଏବେ କନ୍‌କସନ୍‌ ପ୍ରୋଟୋକଲ ଅନୁଯାୟୀ ଖେଳାଳି ଏକ ସପ୍ତାହ ପାଇଁ ଆରାମ କରିପାରିବେ। ଏଣୁ ସେ ଆଗାମୀ ଦୁଇ ମ୍ୟାଚ୍‌ରେ ଖେଳିପାରିବେ ନାହିଁ ବୋଲି ସାମସନ କହିଛନ୍ତି। ଏହାଛଡ଼ା ସାମସନ ଚହଲଙ୍କ ପ୍ରଶଂସା କରି କହିଛନ୍ତି, ସେ ଭାରତ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଖେଳାଳିମାନଙ୍କ ଜୋସ୍‌ ବହୁତ ଭଲ ଅଛି। ଏଣୁ ତାଙ୍କୁ ଯେତେବେଳେ ବି ଖେଳିବାକୁ କହିଲେ ସେ ପ୍ରସ୍ତୁତ ରହୁଛନ୍ତି। ଚହଲ ମିଳିଥିବା ସୁଯୋଗର ଲାଭ ଉଠାଇଲେ ବୋଲି ମଧ୍ୟ ସେ କହିଛନ୍ତି।

Share