ଚେନ୍ନାଇ,୮।୮: ରାଜସ୍ଥାନ ରୟାଲ୍ସ (ଆରଆର) ଅଧିନାୟକ ସଞ୍ଜୁ ସାମସନ ଏବଂ ଫ୍ରାଞ୍ଚାଇଜ ମଧ୍ୟରେ ଗଭୀର ମତଭେଦ ଦେଖାଦେଇଛି। ଆଇପିଏଲ ୨୦୨୫ରେ ଆଘାତ ଯୋଗୁଁ ସଞ୍ଜୁ ସମସ୍ତ ମ୍ୟାଚ୍ ଖେଳି ପାରିନଥିଲେ। ସୁସ୍ଥ ହେବା ପରେ ମଧ୍ୟ ସେ ଦଳୀୟ ବୈଠକରେ ଅଂଶଗ୍ରହଣ କରୁନଥିବା ରିପୋର୍ଟ ସାମ୍ନାକୁ ଆସିଥିଲା। ଆଇପିଏଲ ୨୦୨୫ରେ ରାଜସ୍ଥାନ ରୟାଲ୍ସ ପ୍ଲେ-ଅଫରେ ସ୍ଥାନ ପାଇ ନ ଥିବା ବେଳେ, ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ସଞ୍ଜୁ ଆରଆର ସହ ଆଗକୁ ଜାରି ରଖିବାକୁ ଚାହୁଁନାହାନ୍ତି।
ରିପୋର୍ଟ ଅନୁଯାୟୀ, “ସଞ୍ଜୁ ସାମସନ ଏବଂ ରାଜସ୍ଥାନ ରୟାଲ୍ସ ମ୍ୟାନେଜମେଣ୍ଟ ମଧ୍ୟରେ ଗଭୀର ମତଭେଦ ଦେଖାଦେଇଛି। ଏତେ ଯେ ଅଧିନାୟକ ସଞ୍ଜୁ ଔପଚାରିକ ଭାବେ ଟ୍ରେଡ ବା ନିଲାମ ପାଇଁ ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି।” ରିପୋର୍ଟରେ ଆହୁରି କୁହାଯାଇଛି, “ସଞ୍ଜୁଙ୍କ ପରିବାର ସଦସ୍ୟମାନେ ଖୋଲାଖୋଲି କହୁଛନ୍ତି ଯେ ସେ ଆରଆର ସହ ଜାରି ରଖିବାକୁ ଚାହୁଁନାହାନ୍ତି। ତାଙ୍କ ନିକଟତର କେତେକ ଆଇପିଏଲ ଓ ଆନ୍ତର୍ଜାତୀୟ ଖେଳାଳି ମଧ୍ୟ ସୂଚାଇଛନ୍ତି ଯେ ତାଙ୍କର ଫ୍ରାଞ୍ଚାଇଜ ସହ ସମ୍ପର୍କ ପୂର୍ବଭଳି ରହିନାହିଁ।”
ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସମେତ କେତେକ ଫ୍ରାଞ୍ଚାଇଜ ସଞ୍ଜୁଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ, କିନ୍ତୁ ଆରଆର ପାଇଁ ଗ୍ରହଣୀୟ କୌଣସି ପ୍ରସ୍ତାବ ସେମାନେ ଦେଇନାହାନ୍ତି। ସିଏସକେ ଟ୍ରେଡ-ଅଫ ପାଇଁ କୌଣସି ଖେଳାଳି ଛାଡ଼ିବାକୁ ପ୍ରସ୍ତୁତ ନାହିଁ। ଆଇପିଏଲ ନିୟମ ଅନୁଯାୟୀ, ଖେଳାଳିଙ୍କୁ ଟ୍ରେଡ ବା ମୁକ୍ତ କରିବାର ନିଷ୍ପତ୍ତି ଫ୍ରାଞ୍ଚାଇଜ ଉପରେ ନିର୍ଭର କରେ, ଖେଳାଳି ନିଜେ ଏକାକୀ ଦଳ ଛାଡ଼ିବା ନିଷ୍ପତ୍ତି ନେଇପାରିବେ ନାହିଁ। ଚୁକ୍ତି ଅନୁଯାୟୀ, ସଂଜୁ ୨୦୨୭ ପର୍ଯ୍ୟନ୍ତ ଆରଆରର ଖେଳାଳି ଅଛନ୍ତି। ରିପୋର୍ଟ ଅନୁଯାୟୀ, ସିଏସକେ ଅଧିକାରୀ କହିଛନ୍ତି, “ଆମର ଏକମାତ୍ର ବିକଳ୍ପ ହେଉଛି ନିଲାମରେ ସଞ୍ଜୁଙ୍କ ପାଇଁ ଚେଷ୍ଟା କରିବା, ଯଦି ସେ ମୁକ୍ତ ହୁଅନ୍ତି।”
କେରଳର ଏହି ଉଇକେଟକିପର-ବ୍ୟାଟର ସଞ୍ଜୁ ସାମସନ ୨୦୧୩ ଆଇପିଏଲରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ରାହୁଲ ଦ୍ରାବିଡ଼ଙ୍କ ମାର୍ଗଦର୍ଶନରେ ସେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ୨୦୧୯ ଆଇପିଏଲରେ ସଞ୍ଜୁ ୩୪୨ ରନ ଏବଂ ୨୦୨୦ରେ ୩୭୫ ରନ ସଂଗ୍ରହ କରିଥିଲେ। ୨୦୨୧ରେ ତାଙ୍କୁ ଆରଆରର ଅଧିନାୟକ ନିଯୁକ୍ତ କରାଯାଇଥିଲା। ଏହି ବିବାଦ ସଞ୍ଜୁଙ୍କ ଆଇପିଏଲ କ୍ୟାରିୟର ଏବଂ ରାଜସ୍ଥାନ ରୟାଲ୍ସ ସହ ତାଙ୍କ ଦୀର୍ଘଦିନୀୟ ସମ୍ପର୍କ ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ଆଗାମୀ ନିଲାମ ବା ଟ୍ରେଡ ନିଷ୍ପତ୍ତି ଏହାର ଭବିଷ୍ୟତ ନିର୍ଦ୍ଧାରଣ କରିବ।

