ଦୁବାଇ, ୬ା୩: ଟି୨୦ ବିଶ୍ୱକପ୍ ପ୍ଳେୟର ଅଫ୍ ଦି ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ୮ ଜଣିଆ ଶର୍ଟଲିଷ୍ଟ ଖେଳାଳି ତାଲିକା ପ୍ରକାଶ କରାଯାଇଛି। ଏଥିରେ ଫର୍ମରେ ଥିବା ଭାରତୀୟ ଓପନର ସଞ୍ଜୁ ସାମସନଙ୍କ ନାମ ସ୍ଥାନ ପାଇଛି।
ଏଥିରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳିମାନେ ହେଲେ ଇଂଲଣ୍ଡ ଅଲରାଉଣ୍ଡର ଓ୍ବିଲ୍ ଜ୍ୟାକ୍ସ, ପାକିସ୍ତାନ ଓପନର ସାହିବଜାଦା ଫରହାନ, ଦକ୍ଷିଣ ଆଫ୍ରିକା ପେସ୍ ବୋଲର ଲୁଙ୍ଗି ଏନ୍ଗିଡ଼ି ଓ ଅଧିନାୟକ ଏଡେନ ମାରକ୍ରାମ, ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ରାଚିନ ରବିନ୍ଦ୍ର ଓ ବ୍ୟାଟର ଟିମ୍ ସିଫର୍ଟ ଏବଂ ଆମେରିକୀୟ ବୋଲର ଶେଡ୍୍ଲି ଭାନ୍ ସ୍କାଲ୍ଓ୍ବିକ୍।
ଟୁର୍ନାମେଣ୍ଟ ପ୍ରାରମ୍ଭରେ ଖେଳି ନ ଥିବା ସଞ୍ଜୁ କ୍ରମାଗତ ପ୍ଲେୟର ଅଫ୍ ଦି ମ୍ୟାଚ ପୁରସ୍କୃତ ହୋଇଛନ୍ତି। ଏହି ଓପନର ବ୍ୟାଟର ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ୪୨ ବଲ୍ରେ ୮୯ ରନ କରିଥିଲେ। ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚରେ ଭାରତର ୭ଉଇକେଟ ବିଜୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଏହା ପୂର୍ବରୁ ସଞ୍ଜୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ୫୦ ବଲ୍ରେ ୯୭ରନର ଏକ ଇନିଂସ ଖେଳି ଭାରତୀୟ ଦଳର ମୂଳଦୁଆ ପକାଇଥିଲେ। ଏଥିରେ ଗତଥରର ଚାମ୍ପିୟନ ଦଳ ୫ଉଇକେଟରେ ବିଜୟ ଲାଭ କରିବା ସହ ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲା। ଉଇକେଟକିପର-ବ୍ୟାଟର ସାମସନ ଟୁର୍ନାମେଣ୍ଟରେ ୪ଟି ମ୍ୟାଚ ଖେଳି ୨୦୧.୭୩ ଷ୍ଟ୍ରାଇକ୍ରେଟ୍ ଓ ୭୭.୩୩ ଆଭରେଜରେ ୨୩୨ ରନ୍ ସଂଗ୍ରହ କରିଛନ୍ତି।

