NEET ପେପର ଲିକ ମାମଲାରେ ସଞ୍ଜୀବ ମୁଖିଆଙ୍କୁ କ୍ଲିନଚିଟ୍‌: ମିଳିଲାନି କୌଣସି ପ୍ରମାଣ

ନୂଆଦିଲ୍ଲୀ,୨୩।୭: NEET-UG 2024 ପେପର୍‌ ଲିକ ମାମଲାରେ CBI ସଞ୍ଜୀବ ମୁଖିଆଙ୍କୁ କ୍ଲିନ ଚିଟ ଦେଇଛି। ତଦନ୍ତକାରୀ ସଂସ୍ଥା କହିଛି ଯେ, ସଞ୍ଜୀବ କୁମାର ଓରଫ ସଞ୍ଜୀବ ମୁଖିଆଙ୍କ ବିରୋଧରେ ତଦନ୍ତ ସମୟରେ କୌଣସି ପ୍ରମାଣ ମିଳିନାହିଁ ଯାହା ଏହି ମାମଲାରେ ତାଙ୍କର ସମ୍ପୃକ୍ତିକୁ ପ୍ରମାଣିତ କରିପାରିବ। ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ତାଙ୍କୁ ଜାଣିଶୁଣି ସୁରକ୍ଷା ଦିଆଯାଉଥିବା ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ।

CBI ଅନୁଯାୟୀ, ବିହାର ପୋଲିସ ପ୍ରଥମେ NEET-UG 2024 ପ୍ରଶ୍ନପତ୍ର ଚୋରି ମାମଲା ରୁଜୁ କରିଥିଲା। ସଞ୍ଜୀବ ମୁଖିଆଙ୍କ ନାମ FIRରେ ଯୋଡା ଯାଇଥିଲା କାରଣ ସେ ପୂର୍ବରୁ ପ୍ରଶ୍ନପତ୍ର ଲିକ ଏବଂ ଚୋରି ସହିତ ଜଡିତ ଅନେକ ମାମଲାରେ ଅଭିଯୁକ୍ତ ଥିଲେ। ପରେ ମାମଲାଟି CBIକୁ ସ୍ଥାନାନ୍ତରିତ ହୋଇଥିଲା। ଏକ ବିସ୍ତୃତ ତଦନ୍ତ ସମୟରେ, ଏଜେନ୍ସି ପ୍ରଶ୍ନପତ୍ର ଚୋରି, ବଣ୍ଟନରେ ଜଡିତ ସମସ୍ତଙ୍କୁ ଚିହ୍ନଟ କରିଥିଲା। ଆଜି ପର୍ଯ୍ୟନ୍ତ, ଏହି ମାମଲାରେ ୪୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ପାଟନା କୋର୍ଟରେ ଅନେକ ଚାର୍ଜସିଟ ଦାଖଲ କରାଯାଇଛି।

ସିବିଆଇ କହିଛି ଯେ, ସମ୍ପୂର୍ଣ୍ଣ ତଦନ୍ତ ସମୟରେ NEET-UG 2024 ପ୍ରଶ୍ନପତ୍ର ଚୋରି କିମ୍ବା ବଣ୍ଟନ କରିବାର ଷଡ଼ଯନ୍ତ୍ରରେ ସଞ୍ଜୀବ ମୁଖିଆଙ୍କର ସମ୍ପୃକ୍ତିକୁ ପ୍ରମାଣିତ କରିପାରିବା ଭଳି କୌଣସି ପ୍ରମାଣ ମିଳି ନାହିଁ। ତଦନ୍ତ ସମୟରେ ସଞ୍ଜୀବ ମୁଖିଆ ଫେରାର୍‌ ରହିଥିଲେ। ପରେ, ବିହାର ପୋଲିସ ତାଙ୍କୁ ଅନ୍ୟ ମାମଲାରେ ଗିରଫ କରିଥିଲା। ଯେହେତୁ ତାଙ୍କ ନାମ NEET-UG FIRରେ ମଧ୍ୟ ଅନ୍ତର୍ଭୁକ୍ତ ଥିଲା, ତେଣୁ CBI ତାଙ୍କୁ ପଚରାଉଚରା ପାଇଁ ପୋଲିସ ରିମାଣ୍ଡରେ ନେଇଥିଲା।
ପଚରାଉଚରା ଏବଂ ତଦନ୍ତ ସତ୍ତ୍ୱେ ତାଙ୍କ ବିରୋଧରେ କୌଣସି ଠୋସ ପ୍ରମାଣ ମିଳିନାହିଁ, ତେଣୁ CBI ଏହି ମାମଲାରେ ତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିନାହିଁ। ସଂସ୍ଥା କହିଛି ଯେ, NEET-UG ମାମଲାରେ ଜାମିନ ପାଇବା ସତ୍ତ୍ୱେ, ଅନ୍ୟ ମାମଲାରେ ବିହାର ପୋଲିସ ତଦନ୍ତ ଯୋଗୁ ସଞ୍ଜୀବ ମୁଖିଆ ନ୍ୟାୟିକ ହାଜତରେ ରହିଥିଲେ।

CBI ପୁନରାବୃତ୍ତି କରିଛି ଯେ, NEET-UG 2024 ପ୍ରଶ୍ନପତ୍ର ଚୋରି ମାମଲା ପଛରେ ଥିବା ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି ଏବଂ ସମ୍ପୃକ୍ତ ସମସ୍ତଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

 

Dharitri – Odisha’s No.1 Odia Daily

 

Share