ଆସାମ ସିଲାବସରେ ସଞ୍ଜୟଙ୍କ ଭୂଗୋଳ ବହି

କୋକସରା,୧୭ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) ଓଡ଼ିଶା ଏବଂ ଜମ୍ମୁ-କଶ୍ମୀର ପରେ ଏବେ ଆସାମ ରାଜ୍ୟର ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର କଳାହାଣ୍ଡି ଜିଲାର ସୁନାମଧନ୍ୟ ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତଙ୍କ ଲିଖିତ ଭୂଗୋଳ ପୁସ୍ତକ ଅଧ୍ୟୟନ କରିବେ।

ଏହି ଅବସରରେ କୋକସରା ବ୍ଲକ କୁସୁମଖୁଣ୍ଟିସ୍ଥିତ ଇନ୍ଦ୍ରାବତୀ ଡାକ ବଙ୍ଗଳାଠାରେ ଜାତୀୟ ପ୍ରେସ ଦିବସରେ ପୁସ୍ତକଟି ଉନ୍ମୋଚିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, କୋକସରା ବିଡ଼ିଓ ଡ. ହିମାଞ୍ଚଳ ମାଝୀ, ତହସିଲଦାର ଚୌଡଗଙ୍ଗ ପ୍ରଧାନ, ଉପର ଇନ୍ଦ୍ରାବତୀ ବାମ କେନାଲ ଅଧୀକ୍ଷଣ ଯନ୍ତ୍ରୀ ପ୍ରଣୟ ପ୍ରଧାନ, କୋକସରା ଥାନା ଅଧିକାରୀ ଡମ୍ବରୁଧର ବରତିଆ, କଳାହାଣ୍ଡି ଜିଲା ସାମ୍ବାଦିକ ସଂଘ ସଭାପତି ମହମ୍ମଦ ଅଲ୍ଲୀ, ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।

ଅଧ୍ୟାପକ ପୁରୋହିତ କୋକସରା ବ୍ଲକର ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୂଗୋଳ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କର ଏହି ସଫଳତା କେବଳ କଳାହାଣ୍ଡି ଜିଲା ନୁହେଁ, ସମଗ୍ର ଓଡ଼ିଶା ପାଇଁ ଗୌରବର ବିଷୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ସଫଳତା ପାଇଁ ଉପସ୍ଥିତ ପ୍ରଶାସନିକ ଅଧିକାରୀ, ଶିକ୍ଷାପ୍ରେମୀ, ଖବରଦାତା ଓ ରାଜନୈତିକ ବ୍ୟକ୍ତିବିଶେଷ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Share