Categories: ଜାତୀୟ

ଭାଜପା ଭୁଲ ନ ସୁଧାରିଲେ ୨୦୨୨ରେ ଭୋଗିବାକୁ ପଡିବ ପରିଣତି

ଲକ୍ଷ୍ନୌ,୮ ।୭: ମୋଦି ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ ହୋଇସାରିଛି । ଏଥିରେ ଉତ୍ତର ପ୍ରଦେଶର ୭ଜଣ ଏମ୍‌ପିଙ୍କୁ ମନ୍ତ୍ରୀ ପଦ ମିଳିଛି । ହେଲେ ନିଷାଦ ଦଳର ଅଧ୍ୟକ୍ଷ ସଞ୍ଜୟ ନିଷାଦଙ୍କ ପୁଅ ତଥା ସନ୍ଥକବିରନଗରର ଏମ୍‌ପି ପ୍ରବିଣ ନିଷାଦଙ୍କୁ ମନ୍ତ୍ରୀପଦ ନ ମିଳିବା ନେଇ ସଞ୍ଜୟ ନିଷାଦ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ପ୍ରବିଣ ମୋ ପୁଅ ନିଶ୍ଚିତ ଭାବେ ହେଲେ ସେ ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି । ପ୍ରବିଣଙ୍କ ଲୋକପ୍ରିୟତାକୁ ଦେଖି ତାଙ୍କୁ ମନ୍ତ୍ରୀମଣ୍ଡଳରେ ନିଶ୍ଚିତ ଭାବେ ସ୍ଥାନ ଦେବାର ଥିଲା । ସେ କହିଛନ୍ତି କିଛିମାତ୍ର ଆସନରେ ନିଜର ପ୍ରଭାବ ରଖିଥିବା ଅନୁପ୍ରିୟା ପଟେଲଙ୍କୁ ଯଦି ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଲା ତେବେ ୧୬୦ ଆସନରେ ପ୍ରଭାବ ରଖିଥିବା ପ୍ରବିଣଙ୍କୁ ମଧ୍ୟ ସୁଯୋଗ ଦେବା ଦରକାର । ଏହା ପୂର୍ବରୁ ହିଁ ନିଷାଦ ସମାଜ ଭାଜପାଠାରୁ ସମ୍ପର୍କ କାଟୁଥିବା ଲକ୍ଷ୍ୟ କରାଯାଉଛି । ଯଦି ଆଗକୁ ଭାଜପା ତା’ର ଭୁଲ ନ ସୁଧାରେ ତେବେ ୨୦୨୨ ନିର୍ବାଚନରେ ଏହାର ପରିଣତି ଭୋଗିବାକୁ ପଡିପାରେ । ସଞ୍ଜୟ ଆହୁରି ମଧ୍ୟ କହିଛନ୍ତି ଏବେତ ଆମେ ଭାଜପା ସହ ଅଛୁ । ହେଲେ ଭବିଷ୍ୟତରେ ଯଦି ଭାଜପା ଆମକୁ ଅଣଦେଖା କରେ ତେବେ ଆମ ରାଜନୀତି କଥା ଆମେ ଚିନ୍ତା କରିବୁ ।

Share