ରାଜନୀତିରେ ଯୋଗଦେବେନି ସଞ୍ଜୟ ଦତ୍ତ

ମୁମ୍ବାଇ: ନିକଟରେ ରାଜନୀତିରେ ଯୋଗ ଦେଉ ନାହାନ୍ତି ବୋଲି ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ସୋମବାର ନିଜ ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି। ଏହାସହ ଚଳିତ ଲୋକ ସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କରାଯାଉଥିବା ବିଭିନ୍ନ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ରାଜନୀତିରେ ଯୋଗଦେଇ ସେ ଚଳିତ ଲୋକ ସଭା ନିର୍ବାଚନ ଲଢ଼ିବେ ବୋଲି ପୂର୍ବରୁ ପ୍ରକାଶ ପାଇଥିବା ବିଭିନ୍ନ ମିଡିଆ ରିପୋର୍ଟକୁ ସଞ୍ଜୟ ମିଥ୍ୟା ଦର୍ଶାଇଛନ୍ତି। ସେହିପରି ସୋସିଆଲ ମିଡିଆରେ ତାଙ୍କୁ କେନ୍ଦ୍ର କରି ଚାଲିଥିବା କୌଣସି ଗୁଜବକୁ ବିଶ୍ୱାସ ନ କରିବାକୁ ସେ ତାଙ୍କ ପ୍ରଶଂସକ ଓ ଫଲୋଅର୍ସମାନଙ୍କୁ ଅନୁରୋଧ କରିଛନ୍ତି। ଯଦି ଭବିଷ୍ୟତରେ ସେ ରାଜନୀତିରେ ପ୍ରବେଶ କରିବେ, ତେବେ ଏନେଇ ସେ ଖୋଦ୍‌ ଘୋଷଣା କରି ସମସ୍ତଙ୍କୁ ଜଣାଇବେ ବୋଲି ସଞ୍ଜୟ କହିଛନ୍ତି। ସଞ୍ଜୟ ଦତ୍ତଙ୍କ ସ୍ବର୍ଗତ ପିତା ସୁନୀଲ ଦତ୍ତ କଂଗ୍ରେସର ବରିଷ୍ଠ ନେତା ହୋଇଥିବା ବେଳେ ସେ ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ମନ୍‌ମୋହନ ସିଂଙ୍କ ସରକାରରେ ମନ୍ତ୍ରୀଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ସେହିପରି ସଞ୍ଜୟଙ୍କ ଭଉଣୀ ପ୍ରିୟା ଦତ୍ତ ପୂର୍ବରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଛନ୍ତି। ହରିୟାଣାର କର୍ନାଲ ଆସନରେ ଭାଜପା ବିରୋଧରେ କଂଗ୍ରେସ ଏକ ଶକ୍ତିଶାଳୀ ପ୍ରାର୍ଥୀ ଦେବାକୁ ଚିନ୍ତା କରୁଥିବା ନେଇ ବିଭିନ୍ନ ମିଡିଆରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ନେଇ ସଞ୍ଜୟଙ୍କ ନାମ ଚର୍ଚ୍ଚାର ପରିସରକୁ ଆସିଥିଲା। ତେବେ ବର୍ତ୍ତମାନ ଅଭିନେତା ଜଣକ ଏପରି ସମସ୍ତ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ସଞ୍ଜୟ ରାଜନୀତିରେ ପ୍ରବେଶ କରିବା ନେଇ ଗୁଜବ ପ୍ରଥମ ଥର ପାଇଁ ଘଟିନାହିଁ। ୨୦୧୯ ଲୋକ ସଭା ନିର୍ବାଚନ ସମୟରେ ମଧ୍ୟ ତାଙ୍କ ନାମରେ ହୋଇଥିବା ଏପରି ଗୁଜବକୁ ସେ ଖାରଜ କରିଥିଲେ।

Share