ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ ଚର୍ଚ୍ଚିତ ‘ମୁନ୍ନାଭାଇ’ ଅନ୍ଦାଜରେ ରାଜନୈତିକ ବ୍ୟଙ୍ଗ କରିଛନ୍ତି । ପ୍ରାୟ ୫ ମିନିଟ୍ ପାଇଁ ନିଜକୁ ଦେଶର ପ୍ରଧାନମନ୍ତ୍ରୀ ଭାବି ସେ ଦେଶବାସୀଙ୍କୁ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି ।
ସଞ୍ଜୟ ଦତ୍ତ କହିଛନ୍ତି, ଭାରତୀୟମାନେ ବଡ଼ ହୃଦୟର ଲୋକ ଏବଂ ଦେଶରେ ଶାନ୍ତି ରହିବା ଦରକାର। ତେବେ ଏବେ ସେ ଭାରତରେ ପୂର୍ବଭଳି ଶାନ୍ତି ଅନୁଭବ କରୁନଥିବା କହିଛନ୍ତି । ଶାନ୍ତି ପାଇଁ ଭଲପାଇବା ଏବଂ ‘ଗାନ୍ଧୀଗିରି’ର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ନିଜକୁ ୫ ମିନିଟ୍ ପାଇଁ ପ୍ରଧାନମନ୍ତ୍ରୀ ଭାବି ସଞ୍ଜୟ ଦତ୍ତ ‘ମୁନ୍ନାଭାଇ’ ଷ୍ଟାଇଲ୍ରେ କହିଥିଲେ ଯେ, ସେ ବିଦେଶ ଯାଇ ଖୁସି ପାଳନ କରିବେ ନାହିଁ, ବରଂ ଦେଶବାସୀଙ୍କ ମଧ୍ୟରେ ରହିବେ । ପ୍ରଧାନମନ୍ତ୍ରୀ ଓ ଜନତାଙ୍କ ମଧ୍ୟରେ ସମ୍ପର୍କ ରହିବା ଜରୁରୀ ବୋଲି ସେ ନିଜ ଅନ୍ଦାଜରେ କହିଥିଲେ । ସେ ମହାତ୍ମା ଗାନ୍ଧୀଙ୍କ ତିନି ବାନରଙ୍କ ଉଦାହରଣ ଦେଇ କହିଥିଲେ—ଖରାପ ଦେଖ ନାହିଁ, ଖରାପ ଶୁଣ ନାହିଁ ଓ ଖରାପ କୁହ ନାହିଁ। କିନ୍ତୁ ଖରାପ ଦେଖିଲେ ତାହାକୁ ଠିକ୍ କିଏ କରିବ ବୋଲି ସେ ପ୍ରଶ୍ନ କରିଥିଲେ।
ସଞ୍ଜୟ ଦତ୍ତ ନେତାଙ୍କ ଫଟୋକୁ ନେଇ ମଧ୍ୟ ବ୍ୟଙ୍ଗ କରିଥିଲେ। ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗିଛି, ସେଠାରେ ତାହା କମ୍ କରି ଦେଶର ଛବି ଦେଖାଇବା ଦରକାର ବୋଲି ସେ କହିଥିଲେ । ନିଜ ଫଟୋ ଲଗାଇବା ଅପେକ୍ଷା ଗାନ୍ଧୀଜୀଙ୍କ ବିଚାର ଦେଖାଇବା ଅଧିକ ଜରୁରୀ ବୋଲି ସଞ୍ଜୟ ଦତ୍ତ କହିଥିଲେ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତିକୁ ନେଇ ମଧ୍ୟ ସଞ୍ଜୟ ଦତ୍ତ ନିଜ ଅନ୍ଦାଜରେ ବ୍ୟଙ୍ଗ କରିଥିଲେ। ଦୁନିଆରେ ମିସାଇଲ୍ ଅନେକ ହୋଇଗଲାଣି, ଏବେ ଭଲପାଇବା ରପ୍ତାନି କରିବାର ସମୟ ଆସିଛି ବୋଲି ସେ କହିଥିଲେ।
କାହାକୁ ଧମକ ଦେବା ପରିବର୍ତ୍ତେ ତାଙ୍କୁ ଫୋନ୍ କରି ଘରକୁ ଡାକିବା, ଚା’ ପିଇ ପିଇ ସମସ୍ୟାର ସମାଧାନ କରିବା ଉଚିତ ବୋଲି ସଞ୍ଜୟ ଦତ୍ତ କହିଥିଲେ । ସଞ୍ଜୟ ଦତ୍ତ ୨୦୦୬ରେ ରାଜକୁମାର ହିରାନୀଙ୍କ ଫିଲ୍ମ ‘ଲଗେ ରହୋ ମୁନ୍ନାଭାଇ’ରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ସେ ‘ମୁନ୍ନାଭାଇ’ ଚରିତ୍ରରେ ଗାନ୍ଧୀଗିରିର ବାର୍ତ୍ତା ଦେଇଥିଲେ । ଫିଲ୍ମରେ ଅର୍ଶଦ ୱାରସି ମଧ୍ୟ ଅଭିନୟ କରିଥିଲେ ଏବଂ ବିଦ୍ୟୁ ବିନୋଦ ଚୋପ୍ରା ଏହାର ପ୍ରଯୋଜକ ଥିଲେ । ଫିଲ୍ମଟି ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା।