ସଞ୍ଜୟଙ୍କ ବିଦେଶ ଗସ୍ତକୁ ନେଇ ଉପୁଜିପାରେ ବାଧା

ମୁମ୍ବାଇ,୧୩।୮: ବଲିଉଡ୍‌ ନାୟକ ସଞ୍ଜୟ ଦତ୍ତ କ୍ୟାନସରରେ ପୀଡ଼ିତ ହେବା ଜଣାପଡିବା ପରେ ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି। ତେବେ କ୍ୟାନସର ଚିକିତ୍ସା ଲାଗି ସଞ୍ଜୟ ବିଦେଶ ଯାଇ ପାରନ୍ତି ବୋଲି କୁହାଯାଉଛି। ଚିକିତ୍ସା ପାଇଁ ଆମେରିକା ଯିବାକୁ ଚିନ୍ତା କରୁଥିବା ସଞ୍ଜୟଙ୍କ ପାଖରେ ଆମେରୀକିୟ ଭିଜା ନ ଥିବା ସୂଚନା ମିଳିଛି। ସେ ଆମେରିକାର ମେମୋରିୟଲ ସ୍ଲୋଆନ କେଟରିଂ କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହେବାକୁ ଯୋଜନା କରୁଥିବା ବେଳେ ଏବେ ଆମେରିକାର ଭିଜା ପାଇଁ ପ୍ରସ୍ତୁତିରେ ଅଛନ୍ତି। ଅନ୍ୟପଟେ ଗଣମାଧ୍ୟମର ସୂଚନାରୁ ଜଣାପଡିଛି କି ସଞ୍ଜୟ ମୁମ୍ବାଇ ବ୍ଲାଷ୍ଟ ମାମଲାରେ ସମ୍ପୃକ୍ତ ଥିବାରୁ ତାଙ୍କୁ ଆମେରିକାର ଭିଜା ନ ମିଳିପାରେ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ସଞ୍ଜୟ କ୍ୟାନସରରେ ପୀଡ଼ିତ ହେବାପରେ ତାଙ୍କର ପ୍ରଶଂସକମାନେ ଆଶୁ ଆରୋଗ୍ୟ କାମନା କରିଥିବାରୁ ସଞ୍ଜୟଙ୍କ ପତ୍ନୀ ମାନ୍ୟତା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏମିତି ସମୟରେ ପ୍ରାର୍ଥନାର ଆବଶ୍ୟକତା ବୋଲି ସେ କହିଛନ୍ତି। ଗତ କିଛିବର୍ଷ ହେବ ଆମ ପରିବାର ଖରାପ ପରିସ୍ଥିତି ଦେଇ ଗତିକରୁଥିବା ବେଳେ ଏହା ଶୀଘ୍ର କଟିଯିବ ବୋଲି ସେ କହିଛନ୍ତି। ଆହୁରି ମଧ୍ୟ ସେ ସଞ୍ଜୟଙ୍କ ଫ୍ୟାନମାନଙ୍କୁ ଅନୁରୋଧ କରି କହିଛନ୍ତି ସଞ୍ଜୁଙ୍କ ସ୍ବାସ୍ଥ୍ୟକୁ ନେଇ କୌଣସି ଅନୁମାନ କରିବା ଅବା ମିଥ୍ୟା ପ୍ରଚାରଠାରୁ ଦୂରେଇ ରୁହନ୍ତୁ। ଭଗବାନ ପୁଣିଥରେ ଆମଠାରୁ ପରୀକ୍ଷା ନେଉଛନ୍ତି। ତେଣୁ ଆଗଥର ଭଳି ଏଥର ମଧ୍ୟ ଆମେ ବିଜୟୀ ହେବାକୁ ଚେଷ୍ଟା କରିବୁ ବୋଲି ମାନ୍ୟତା କହିଛନ୍ତି।

Share