ଜିଲାପାଳ, ସିଡିଓ, ପୌରାଧ୍ୟକ୍ଷା, ଇଓଙ୍କୁ ରାଖି ବାନ୍ଧିଲେ ସଫେଇ କର୍ମଚାରୀ

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ପବିତ୍ର ରକ୍ଷା ବନ୍ଧନ ଅବସରରେ ଶୁକ୍ରବାର ବଲାଙ୍ଗୀର ମ୍ୟୁନିସିପାଲିଟି ପକ୍ଷରୁ ସ୍ବତନ୍ତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ‘ସୁରକ୍ଷାର ସାକ୍ଷୀ ରାଖି’ ପାଳନ କରାଯାଇଛି। ମୁଖ୍ୟଅତିଥି ଭାବେ ବଲାଙ୍ଗୀର ଜିଲାପାଳ ଗୌରବ ଶିବାଜୀ ଇସଲଓ୍ବାର, ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ଲିକା ସାହୁ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା ଓ ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ଯୋଗଦାନ କରିଥିଲେ।

ମ୍ୟୁନିସିପାଲିଟି ସଫେଇ କର୍ମଚାରୀମାନେ ଜିଲାପାଳ, ପୌରାଧ୍ୟକ୍ଷା, ସିଡିଓ, ଇଓଙ୍କ ସମେତ ଅନ୍ୟମାନଙ୍କୁ ରାଖି ବାନ୍ଧି ଶୁଭେଚ୍ଛା ଜଣାଇଥିଲେ। ସ୍ଥାନୀୟ ରାଜେନ୍ଦ୍ର ପାର୍କଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଏହି ଅବସରରେ ମ୍ୟୁନିସିପାଲିଟିର ସମସ୍ତ ସଫେଇ କର୍ମଚାରୀ ଯୋଗଦାନ କରିଥିଲେ। ରକ୍ଷା ବନ୍ଧନ କାର୍ଯ୍ୟକ୍ରମକୁ ସଫେଇ କର୍ମଚାରୀମାନେ ସ୍ବତନ୍ତ୍ର ଓ ମନଛୁଆଁ ବୋଲି କହିଥିଲେ। ଜିଲାପାଳଙ୍କୁ ଭାଇ ଭାବେ ରାଖି ବାନ୍ଧିବା ବହୁତ ଭଲ ଲାଗୁଛି ବୋଲି କହିବା ସହ ଠିକ୍‌ ସମୟରେ ଦରମା ମିଳି ନ ଥିବାରୁ ଏ ଦିଗରେ ଜିଲାପାଳ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ।

Dharitri – Odisha’s No.1 Odia Daily

Share