ମୋହନା ଗ୍ରାମରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଆର.ଉଦୟଗିରି,୩୦ା୩(ଡି.ଏନ.ଏ.): ମୋହନା ଗ୍ରାମରେ ଥିବା ମୁଖ୍ୟ ବଜାର ଓ ସାହିଗୁଡ଼ିକରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ମୋହନା ସଦର ମହକୁମା ହୋଇଥିଲେ ମଧ୍ୟ ଡ୍ରେନେଜ ବ୍ୟବସ୍ଥା ନାହିଁ। ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଛି। ବର୍ଷା ହେଲେ ଡ୍ରେନ୍‌ର ପାଣି ରାସ୍ତାରେ ଭାସୁଛି। ଅଳିଆ ଆବର୍ଜନା ସବୁ ରାସ୍ତା ଉପରକୁ ଚାଲି ଆସୁଛି। ଫଳରେ ପରିବେଶ ଦୂଷିତ ହୋଇ ମଶାମାଛିଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ପରିମଳ ବିଭାଗ ଦ୍ୱାରା ମଧ୍ୟ ନଳକୂପର ଚାରିପାଖ ସଫାସୁତରା କରାଯାଉନାହିଁ। ନଳକୂପ ଚାରିପାଖରେ ପାଣି ଜମି ରହୁଥିଲେ ମଧ୍ୟ ବ୍ଲିଚିଂ ସିଞ୍ଚନ ହେଉନାହିଁ। ଗାଁଗୁଡ଼ିକରେ ଗାଁ କଲ୍ୟାଣ ସମିତି ଗଠନ କରାଯାଇଛି। ସମିତିଗୁଡିକ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ବର୍ଷକୁ ସେମାନେ ପାଉଥିବା ୧୦ ହଜାର ଟଙ୍କା ଅନୁଦାନ କେଉଁ ବାବଦରେ ଖର୍ଚ୍ଚ ହେଉଛି ତାହାକୁ ନେଇ ସାଧାରଣତରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଗ୍ରାମରେ ପରିମଳ ବ୍ୟବସ୍ଥା ନ ସୁଧାର ହେଲେ ଆଗାମୀ ଦିନରେ ଗ୍ରାମ ଲୋକେ ଝାଡାବାନ୍ତି ସହ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହେବା ସମ୍ଭାବନା ରହିଛି। ମୋହନା ଖ୍ରୀଷ୍ଟିୟାନ ସାହି ଡ୍ରେନ୍‌ଗୁଡିକ ଦୀର୍ଘ ବର୍ଷ ହେଲା ସଫା ନ କରାଯିବାରୁ ସାହି ଲୋକଙ୍କ ଘରପାଣି ଡ୍ରେନ୍‌ ଯିବା ବଦଳରେ ରାସ୍ତା ଉପରେ ଭାସୁଛି। ସାହି ବାସିନ୍ଦାମାନେ ବହୁବାର ସରପଞ୍ଚ ଏବଂ ପିଇଓମାନଙ୍କୁ ଜଣାଇବା ସତ୍ତ୍ୱେ ପଞ୍ଚାୟତ ଅଧିକାରୀ ଡ୍ରେନ ସଫା ନ କରିବା ଦ୍ୱାରା ସାହି ଲୋକଙ୍କୁ ଡେଙ୍ଗୁ ହେବାର ବହୁ ସମ୍ଭାବନା ଅଛି। ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାଲାଗି ସାଧାରଣତରେ ଦାବି ହେଉଛି। ଏ ନେଇ ସ୍ଥାନୀୟ ସରପଞ୍ଚ ସୁନିତା ମଳିକ ଯୋଗାଯୋଗ କରିବାରୁ ସେ କହିଥିଲେ ମୋହନାରେ ଡେଙ୍ଗୁ ହେବା ସମୟରେ କିଛି ସାହି ଡ୍ରେନ୍‌ ସଫା କରାଯାଇଥିଲା। ଜିଲାପାଳ ଦୃଷ୍ଟିଦେଇ ଡ୍ରେନଗୁଡିକ ସଫା କରିବାକୁ ଦାବି ହେଉଛି।