ସୁସ୍ବାସ୍ଥ୍ୟ ପାଇଁ ପରିମଳ

ସୁସ୍ବାସ୍ଥ୍ୟ ପାଇଁ ପରିଷ୍କାର ପରିଚ୍ଛନ୍ନତା ଅପରିହାର୍ଯ୍ୟ। ଏହା ସହିତ ଘର ଏବଂ ବାହ୍ୟ ପରିବେଶରେ ପରିମଳ ବ୍ୟବସ୍ଥା ଆପଣେଇବା ମଧ୍ୟ ଆବଶ୍ୟକ। ବାହାରେ ଶୌଚ ହେବା ଦ୍ୱାରା ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଉପୁଜିବାର ଆଶଙ୍କା ରହିଥାଏ। ପରିମଳ ବ୍ୟବସ୍ଥା ରୋଗ ବ୍ୟାପିବାକୁ ଦିଏ ନାହିଁ। ବାହାରେ ଶୌଚ ହେବା ଦ୍ୱାରା କଲେରା, ଟାଇଫଏଡ, ଡିସେଣ୍ଟ୍ରି ଏବଂ ସ୍କିଷ୍ଟୋସୋମାସିସ ଭଳି ସଂକ୍ରମିତ ରୋଗ ବ୍ୟାପିବାର ଆଶଙ୍କା ରହିଥାଏ। ବାହାରେ ଶୌଚ ହେବା ଦ୍ୱାରା ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ନକାରାତ୍ମକ ପ୍ରଭାବ ପଡ଼ିଥାଏ।
ତେଣୁ ଲୋକଙ୍କୁ ଶୌଚାଳୟ ବ୍ୟବହାର କରିବା ସମ୍ପର୍କରେ ସଚେତନ କରାଇବା ଲାଗି ପ୍ରତିବର୍ଷ ନଭେମ୍ବର ୧୯ରେ ବିଶ୍ୱ ଶୌଚାଳୟ ଦିବସ ପାଳନ କରାଯାଇଥାଏ। ୨୦୦୧ ନଭେମ୍ବର ୧୯ରେ ପ୍ରଥମେ କୌଣସି ସ୍ବୀକୃତି ବିନା ସିଙ୍ଗାପୁରର ଏକ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଜାତିସଂଘ ପକ୍ଷରୁ ୨୦୧୨ ନଭେମ୍ବର ୧୯ରେ ଏହି ଦିବସ ପାଳନ ଲାଗି ସ୍ବୀକୃତି ପ୍ରଦାନ କରାଯାଇଥିଲା।

ଏବେ ବି ପୃଥିବୀରେ ପ୍ରାୟ ୪.୨ ବିଲିୟନ୍‌ ଲୋକ ବିନା ପରିମଳ ବ୍ୟବସ୍ଥାରେ ବାସ କରୁଛନ୍ତି। ସେଥିମଧ୍ୟରୁ ୬୭୩ ନିୟୁତ ଲୋକ ବାହାରେ ମଳତ୍ୟାଗ କରିଥାନ୍ତି। ତେବେ ଏହାକୁ ରୋକିବା ଲାଗି ୨୦୨୦ରେ ମିଳିତ ଜାତିସଂଘ ପକ୍ଷରୁ ସ୍ଥାୟୀ ବିକାଶ ଲକ୍ଷ୍ୟ ରିପୋର୍ଟ ପ୍ରକାଶିତ ହୋଇଥିଲା। ୨୦୩୦ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।

ଜାତିସଂଘର ସଂସ୍ଥା, ଅନ୍ତର୍ଜାତୀୟ ସଂଗଠନ, ସ୍ଥାନୀୟ ନାଗରିକ ସମାଜ ସଂଗଠନ ଏବଂ ସ୍ବେଚ୍ଛାସେବୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ କାର୍ଯ୍ୟକୁ ପ୍ରେରଣା ଯୋଗାଇବା ପାଇଁ ବିଶ୍ୱ ଶୌଚାଳୟ ଦିବସରେ ଉଦ୍ୟମ କରାଯାଇଥାଏ।

Share