Categories: ଖେଳ

ସାନିଆଙ୍କ କ୍ୟାରିୟର ଶେଷ

ନୂଆଦିଲ୍ଲୀ, ୨୨।୨(ପି.ଟି.): ଭାରତର ଭେଟେରାନ୍‌ ଟେନିସ୍‌ ଖେଳାଳି ସାନିଆ ମିର୍ଜାଙ୍କ ଅନ୍ତର୍ଜାତୀୟ କ୍ୟାରୟର ଶେଷ। ଦୁବାଇ ଡ୍ୟୁଟି ଫ୍ରି ଟେନିସ ଚାମ୍ପିୟନଶିପ୍‌ରେ ପରାଜୟ ସହିତ ସେ ତାଙ୍କ ସ୍ବର୍ଣ୍ଣିମ କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇଛନ୍ତି। ସାନିଆ ୨୦୨୨ ସିଜନରେ ଟେନିସ୍‌ ଛାଡ଼ିବେ ବୋଲି ଘୋଷଣା କରିଥିଲେ। କିନ୍ତୁ କହୁଣି ଆଘାତ କାରଣରୁ ୟୁଏସ୍‌ ଓପନ ଖେଳିପାରି ନ ଥିଲେ। ଫଳରେ ୨୦୨୩ରେ ଦୁବାଇ ଡ୍ୟୁଟି ଫ୍ରି ଟେନିସ ଚାମ୍ପିୟନଶିପ୍‌ ପରେ ଅବସର ନେବାକୁ ଘୋଷଣା କରିଥିଲେ। ମାଡିସନ୍‌ କିଙ୍କୁ ସାଥୀ କରି ଖେଳୁଥିବା ସାନିଆ ମହିଳା ଡବଲ୍ସ ପ୍ରଥମ ରାଉଣ୍ଡରେ ପରାଜିତ ହୋଇଛନ୍ତି। ସାନିଅ-ମାଡିସନଙ୍କ ଯୋଡି ୪-୬, ୦-୬ ସେଟରେ ରୁଷିଆନ୍‌ ଯୋଡି ଭେରୋନିକା କୁଦେରମେଟୋଭା ଓ ଲିଉଡମିଲା ସାମସୋନୋଭାଙ୍କ ନିକଟରୁ ପରାଜିତ ହୋଇଥିଲେ। ପ୍ରଥମ ସେଟ୍‌ ୪-୪ରେ ରହିଥିବା ବେଳେ ସାନିଅ-ମାଡିସନ ପଛୁଆ ହୋଇ ଯାଇଥିଲେ। ପ୍ରଥମ ରାଉଣ୍ଡ ପରାଜିତ ହେବା ପରେ ଦ୍ୱିତୀୟ ରାଉଣ୍ଡକୁ ରୁଷୀୟ ଯୋଡି ସହଜରେ ଜିତି ନେଇଥିଲେ। ୨୦୦୩ରେ କ୍ୟାରିୟର ଆରମ୍ଭ କରିଥିବା ସାନିଆ ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ବିଜୟୀ ହୋଇଛନ୍ତି। ମହିଳା ଡବଲ୍ସ ଓ ମିକ୍ସଡ ଡବଲ୍ସରେ ସେ ୩ଟି ଲେଖାଏ ଗ୍ରାଣ୍ଡସ୍ଲାମ ଜିତିଛନ୍ତି। ୩୬ ବର୍ଷୀୟା ସାନିଆ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କୁ ବିବାହ କରିବା ପରେ ଦଶନ୍ଧି ହେବ ଦୁବାଇରେ ଅବସ୍ଥାନ କରି ଆସୁଛନ୍ତି। ୩ଟି ଯାକ ଡବଲ୍ସ ଟାଇଟଲ ସେ ସ୍ବିଜରଲାଣ୍ଡର ମାର୍ଟିନା ହିଙ୍ଗିସଙ୍କ ସହିତ ବିଜୟୀ ହୋଇଥିଲେ। ଏହା ବ୍ୟତିତ ମିକ୍ସଡ ଡବଲ୍ସରେ ମହେଶ ଭୂପତିଙ୍କ ସହିତ ଅଷ୍ଟ୍ରେଲିଆନ୍‌ ଓପନ ଓ ଫ୍ରେଞ୍ଚ ଓପନ ଜିତିଥିବା ବେଳେ ବ୍ରୁନୋ ସୋରେସଙ୍କ ସହିତ ୟୁଏସ୍‌ ଓପନ ବିଜୟୀ ହୋଇଥିଲେ।ଏକମାତ୍ର ଭାରତୀୟ ମହିଳା ଖେଳାଳି ଭାବରେ ସାନିଆ ଡବଲ୍ସରେ ନମ୍ବର ଓ୍ବାନ୍‌ ଓ ସିଙ୍ଗଲ୍ସରେ ଟପ୍‌-୧୦୦ରେ ସାମିଲ ହୋଇଥିଲେ। ଟେନିସରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସାନିଆଙ୍କୁ ୨୦୦୪ରେ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦୬ରେ ପଦ୍ମଶ୍ରୀ, ୨୦୧୫ରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଏବଂ ୨୦୧୬ରେ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା।

Share