ଏହି ଅଭିନେତ୍ରୀଙ୍କ ସହ ସଲମାନଙ୍କ ବାହାଘର କାର୍ଡ ଛପା ସରିଥିଲା: ଏବେ କେମିତି ଅଛି ଦୁହିଁଙ୍କ ସମ୍ପର୍କ

ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ନାମ ଐଶ୍ୱର୍ଯ୍ୟା ରାୟଙ୍କ ଠାରୁ ଆରମ୍ଭ କରି କାଟ୍ରିନା କୈଫଙ୍କ ସହ ଯୋଡା ଯାଇଛି। ଏହି ନାମଗୁଡିକ ମଧ୍ୟରୁ ଗୋଟିଏ ହେଉଛି ସଙ୍ଗୀତା ବିଜଲାନୀ। ସଲମାନ ଏବଂ ସଙ୍ଗୀତା ବିଜଲାନି ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରିଥିଲେ, କିନ୍ତୁ ସେମାନଙ୍କ ବିବାହ ହୋଇପାରି ନ ଥିଲା। ତଥାପି ଉଭୟ ବହୁତ ଭଲ ବନ୍ଧୁ। ନିକଟରେ ସଙ୍ଗୀତା ସଲମାନଙ୍କ ସହ ତାଙ୍କ ବନ୍ଧନ ବିଷୟରେ ମୁହଁ ଖୋଲିଛନ୍ତି। ଏକ ସାକ୍ଷାତକାରରେ ସଙ୍ଗୀତା ପ୍ରାୟତଃ ଖୋଲାଖୋଲି ଭାବେ ସଲମାନ ଖାନଙ୍କ ସହ ନିଜର ବନ୍ଧୁତା ପ୍ରକାଶ କରିଛନ୍ତି। ସେ ଫିଲ୍ମ ’ମେନ ପ୍ୟାର୍‌ କିୟା’ର ଏକ ସଂଳାପ ମଧ୍ୟ କହିଥିଲେ। ସେ କହିଥିଲେ, ଦୋସ୍ତି କି ହୈ, ନିଭାନୀ ତୋ ପଡେଗୀ। ଦୀର୍ଘ ଦିନରୁ ଜାଣିଥିବା ଲୋକଙ୍କ ସହ ବନ୍ଧୁତା କରିବା ଭଲ। କିଛି ସମ୍ପର୍କ ଭାଙ୍ଗେ ନାହିଁ। ସାଥୀ ଏବଂ ସ୍କୁଲ ସାଙ୍ଗମାନଙ୍କ ମଧ୍ୟରେ ପ୍ରେମ କଦାପି କମିଯାଏ ନାହିଁ। ଲୋକମାନେ ଆସିବେ, ଯିବେ। ଜୀବନରେ କିଛି ସ୍ଥାୟୀ ନୁହେଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ତୁମେ କାହା ଉପରେ ରାଗିକି ସମ୍ପର୍କ କାଟିଦେବା। ସମ୍ପର୍କ ସବୁବେଳେ ଅତୁଟ ବୋଲି ସେ କହିଛନ୍ତି।
ସଲମାନ ଖାନଙ୍କୁ ବିବାହ କରିବା ବିଷୟରେ ସଙ୍ଗୀତା କହିଥିଲେ ଯେ, ଏପରି ଏକ ସମୟ ଥିଲା ଯେତେବେଳେ ସେ ସଲମାନଙ୍କୁ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ ସେତେବେଳେ କିଛି ହୋଇପାରିଲା ନାହିଁ। ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ ସଲମାନ ଖାନ ଏବଂ ସଙ୍ଗାତାଙ୍କ ବିବାହ କାର୍ଡ ମଧ୍ୟ ଛପା ଯାଇଥିଲା। କିନ୍ତୁ ଦୁହେଁ ବିବାହ କରିପାରି ନ ଥିଲେ। ପୂର୍ବତନ କ୍ରିକେଟର ଆଜାହରୁଦ୍ଦିନଙ୍କ ସହ ବିବାହ ପରେ ସଙ୍ଗୀତା ପରଦାରୁ ଅଦୃଶ୍ୟ ହୋଇଯାଇଥିଲେ। ଆଜାହରୁଦ୍ଦିନଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ମଧ୍ୟ ସେ ଫିଲ୍ମରେ ଅଭିନୟ କରି ନ ଥିଲେ। ଏବେ ସେ ଏକ ୱେବ ସିରିଜ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି।

Share