Categories: ଜାତୀୟ

ପଶ୍ଚିମବଙ୍ଗ ଭାଜପା ନେତାଙ୍କୁ ରୋକଠୋକ୍‌ ଶୁଣାଇଲେ ଆଇପିଏସ୍‌ ଅଫିସର; ‘ପଗଡି ପିନ୍ଧିଛି ବୋଲି ଖଲିସ୍ତାନୀ ଡାକୁଛନ୍ତି, କେସ୍‌ କରିଦେବି’

କୋଲକତା,୨୧।୨: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାର ସନ୍ଦେଶଖାଲିରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ସନ୍ଦେଶଖାଲିରେ ମହିଳାଙ୍କ ସହ ଯୌନ ହିଂସା ମାମଲାରେ ବିରୋଧି ଦଳ ଭାଜପା ରାସ୍ତାକୁ ଓହ୍ଲାଇଛି। ମଙ୍ଗଳବାର ଅନେକ ଭାଜପା ବିଧାୟକ ସନ୍ଦେଶଖାଲିରେ ପ୍ରବେଶ କରିବାକୁ ଉଦ୍ୟମ କରିବା ସମୟରେ ଆଇପିଏସ ଅଧିକାରୀ ଯଶପ୍ରୀତ ସିଂ ସେମାନଙ୍କୁ ଅଟକାଇଥିଲେ। ଏହି ସମୟରେ ପ୍ରଦର୍ଶନକାରୀଙ୍କ ମଧ୍ୟରୁ କେହି ଜଣେ ପୋଲିସ ଅଧିକାରୀଙ୍କୁ ଖଲିସ୍ତାନୀ ଡାକିଥିଲେ। ଏହାକୁ ନେଇ ଭାଜପା ବିଧାୟକ ଓ ଆଇପିଏସଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଛିି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଆଇପିଏସ ଅଧିକାରୀ ଯଶପ୍ରୀତ ସିଂଙ୍କୁ କହୁଥିବାର ଶୁଣିବାକୁ ମିଳିଛି ଯେ, ମୁଁପଗଡ଼ି ପିନ୍ଧିଛି ବୋଲି ଆପଣ ମୋତେ ଖଲିସ୍ତାନୀ କହୁଛନ୍ତିି? ଆପଣଙ୍କ ଏତେ ସାହାସ ? ଯଦି କେହି ପୋଲିସ କର୍ମଚାରୀ ପଗଡ଼ି ପିନ୍ଧି ଡ୍ୟୁଟି କରିବେ ତେବେ କଣ ସେ ଖଲିସ୍ତାନୀ ହୋଇଯିବେ ? କ’ଣ ଏହା ଆପଣଙ୍କର ସ୍ତର ? ଆଇପିଏସ ଅଧିକାରୀ ଜଣକ ପଶ୍ଚିମବଙ୍ଗର ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ଅନ୍ୟ ଭାଜପା ବିଧାୟକଙ୍କୁ ଏହା କହୁଥିବା ଶୁଣିବାକୁ ମିଳିଛିଳି।

ଆଇପିଏସ ଅଧିକାରୀ ଆହୁରି କହିଛନ୍ତି, ଆପଣ ମୋତେ ଖଲିସ୍ତାନୀ କହୁଛନ୍ତି। ମୁଁ ଆପଣଙ୍କ ବିରୋଧରେ କେସ କରିବି। ମୁଁ ତ ଆପଣଙ୍କ ଧର୍ମ ବିଷୟରେ ଆପଣଙ୍କୁ କିଛି କହିନାହିଁ। ଜଣେ ପୋଲିସ ଅଫିସର ଯିଏ ପଗଡ଼ି ପିନ୍ଧି ଡ୍ୟୁଟି କରୁଛି ତାଙ୍କୁ ଆପଣ ଖଲିସ୍ତାନୀ ଡାକୁଛନ୍ତି।

ଏନେଇ ଭାଜପାର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଆମେ ଆଇପିଏସ ଅଧିକାରୀଙ୍କ ବିରୋଧରେ ଏମିତି କିଛି ବୟାନ ଦେଇନାହୁଁ। ଆମେ ସବୁବେଳେ ଜାତୀୟତାବାଦୀ ରାଜନୀତି କରିଥାଉ। ପାକିସ୍ତାନୀ ଓ ଖଲିସ୍ତାନୀଙ୍କୁ ବିରୋଧ କରୁ କିନ୍ତୁ ଆମେ ଜଣେ ପୋଲିସ ଅଫିସରଙ୍କୁ ଏମିତି ନିନ୍ଦନୀୟ ବୟାନ ଦେଇ ପାରିବୁ ନାହିଁ। ଅଫିସର ଜଣକ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଏମିତି ମିଛ ଅଭିଯୋଗ କରିଛନ୍ତି। ମମତା ବାନାର୍ଜୀ ହିଁ ଏହି ପ୍ରକାରର ହୀନ ରାଜନୀତି କରି ପାରନ୍ତି। ଆମେ ଗୁରୁ ନାନକ ଓ ଶିଖ ସମୁଦାୟକୁ ବହୁତ ସମ୍ମାନ କରୁ। ସେମାନେ ଦେଶ ସ୍ବାଧୀନତା ବଳିଦାନ ଦେଇଛନ୍ତି। କିନ୍ତୁ ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ ଆମର ଲଢେଇ ଜାରି ରହିବ ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି।

Share