ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅନ୍ତର୍ଜାତୀୟ କ୍ରିକେଟର୍‌ ଗିରଫ

କାଠମାଣ୍ଡୁ,୬।୧୦: ନେପାଳ କ୍ରିକେଟର ସନ୍ଦୀପ ଲାମିଚାନେଙ୍କୁ ଗୁରୁବାର କାଠମାଣ୍ଡୁ ବିମାନବନ୍ଦରରେ ପୋଲିସ ଗିରଫ କରଛି। ସନ୍ଦୀପଙ୍କ ନାଁରେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। କାଠମାଣ୍ଡୁ ଜିଲା କୋର୍ଟ ଅଗଷ୍ଟ ୨୩ରେ ସନ୍ଦୀପଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଦେଶ ବାହାରେ ଥିଲେ। ଏହି କାରଣରୁ ଗିରଫ ହୋଇପାରି ନ ଥିଲେ। ସନ୍ଦୀପ ଏହି ବିଷୟରେ ଫେସବୁକରେ ନିଜର ପକ୍ଷ ରଖିଥିଲେ। ସେ ଲେଖିଛନ୍ତି ଯେ, ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ମୁଁ ଅନୁସନ୍ଧାନର ସମସ୍ତ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ସହଯୋଗ କରିବି ଏବଂ ମୋର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ଆଇନଗତ ଯୁଦ୍ଧ କରିବି।
ସୂଚନାଯୋଗ୍ୟ, ନେପାଳର ପୂର୍ବତନ ଅଧିନାୟକ ସନ୍ଦୀପ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳିଛନ୍ତି। ସେ ୨୦୧୮ରେ ଡେବ୍ୟୁ ମ୍ୟାଚ ଖେଳିଥିଲେ। ଏହା ପରେ ସେ ୯ଟି ଆଇପିଏଲ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ। ଏହି ମ୍ୟାଚରେ ସନ୍ଦୀପ ୧୩ଟି ଉଇକେଟ ନେଇଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ଭଲ ରେକର୍ଡ ରହିଛି। ସନ୍ଦୀପ ୪୦ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ୭୮ ଉଇକେଟ ନେଇଛନ୍ତି। ୩୦ଟି ଦିନିକିଆରେ ୬୯ଟି ଉଇକେଟ୍‌ ନେଇଛନ୍ତି।

Share