ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର କରିଛନ୍ତି। ହେଲେ ବାଲିସୈରାତଗୁଡିକୁ ତଦାରଖ କରିବା ପାଇଁ ଖଣି ବିଭାଗ କର୍ମଚାରୀମାନଙ୍କ ସେତେଟା ତତ୍ପରତା ପ୍ରକାଶ ପାଉନାହିଁ। ଫଳରେ ନିଲାମଧାରୀମାନେ ମନଇଚ୍ଛା ରାଜ କରି ଚାଲିଛନ୍ତି। ସୈରାତଗୁଡ଼ିକର ତଦାରଖ ପାଇଁ ଖଣିବିଭାଗର ଯେଉଁ କେତେକ କର୍ମଚାରୀ ରହିଛନ୍ତି, ସେମାନଙ୍କ ସହ ଭିତିରି ବୁଝାମଣା କରି ନିଲାମଧାରୀମାନେ ମାଲାମାଲ ହେଉଥିବା କୁହାଯାଉଛି। ଫଳରେ ସରକାରଙ୍କ ବିପୁଳ ରାଜସ୍ବ ହାନି ହେଉଛି। କେତେଜଣ ମୁଷ୍ଟିମେୟ ବ୍ୟକ୍ତିଙ୍କ ହାତରେ ଏବେ ରଘୁନାଥପୁର, ବିରିଡି ଓ କିଶୋରନଗର ତହସିଲ ଅଞ୍ଚଳରେ ଥିବା ବାଲି ସୈରାତଗୁଡିକ ପରିଚାଳିତ ହେଉଥିବାବେଳେ ଅନେକ ସ୍ଥାନରେ ଚୋରା ବାଲିଘାଟ ଚାଲିଥିବା ଅଭିଯୋଗ ହେଉଛି। ନିଲାମଧାରୀମାନେ ସରକାରଙ୍କ ସହ ବାଲିଉଠାଣ ପାଇଁ କରିଥିବା ଚୁକ୍ତି ପରିମାଣଠାରୁ ବହୁ ଅଧିକ ଗୁଣାରେ ବାଲି ନଦୀ ଗର୍ଭରୁ ମେଶିନ ସାହାଯ୍ୟରେ ଉଠାଇ ନେଉଥିବାରୁ ନଦୀବନ୍ଧ ପ୍ରତି ବିପଦ ସଷ୍ଟି ହୋଇଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ କିଶୋରନଗର ତହସିଲ ଅଧୀନ ପିଁପୁର ବାଲିଘାଟରେ ଦେଖିବାକୁ ମିଳିଛି।
ନିଲାମଧାରୀମାନେ ଗତ ୨ ବର୍ଷ ତଳେ ଉକ୍ତ ବାଲିଘାଟରୁ ଧାର୍ଯ୍ୟ ପରିମାଣଠାରୁ ପ୍ରଚୁର ବାଲି ଉଠାଣ କରିବା ଫଳରେ ବିସ୍ତୃତ ପଠା ନଦୀଗର୍ଭରେ ଲୀନ ହୋଇ ବନ୍ୟା ପାଣି ବନ୍ଧମୁହାଁ ହୋଇଥିଲା। ଏଥିଯୋଗୁ ମହାନଦୀ ଉତ୍ତରପାର୍ଶ୍ୱ ନଦୀବନ୍ଧର ପ୍ରାୟ ୩୦୦ ମିଟରରୁ ଅଧିକ ମାଟି ଅତଡ଼ା ଖାଇ ଲୋକଙ୍କ ଜୀବନଜୀବିକା ପ୍ରତି ବିପଦ ଆଶଙ୍କା ସୃଷ୍ଟି କରିଥିଲା। ଏନେଇ ସେତେବେଳେ ଜଳସେଚନ ବିଭାଗ ଚିନ୍ତାରେ ପଡ଼ିଯାଇଥିଲା। ଉକ୍ତ ବନ୍ଧର ସୁରକ୍ଷା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚକରି ଯୁଦ୍ଧକାଳୀନ ଭିତ୍ତିରେ ପଥର ପ୍ୟାକିଂ କରିବା ସହ ସ୍ପର ନିର୍ମାଣ କରିଥିଲେ। ସରକାର ଏହି ଘାଟରୁ ଯେତିକି ରାଜସ୍ବ ନେଇଥିଲେ ତାହାର କେଇ ଗୁଣା ରାସ୍ତାଘାଟ ଓ ବନ୍ଧ ମରାମତିରେ ଖର୍ଚ୍ଚ କରିସାରିଛନ୍ତି। ଅନ୍ୟପକ୍ଷରେ ବାଲିବୋଝେଇ ଗାଡ଼ିଗୁଡିକ ଦିନବେଳା ଯାତାୟାତ କରିବା ଦ୍ୱାରା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଅନେକ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟୁଛି। ଲୋକମାନଙ୍କ ସୁବିଧା ଦୃଷ୍ଟିରୁ ଏହି ବାଲି ଗାଡିଗୁଡ଼ିକ ଦିନବେଳା ଚାଲିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗାଡ଼ିଗୁଡିକ କେବଳ ରାତିରେ ଚାଲିବା ସହ ପ୍ରତ୍ୟେକ ଗାଡ଼ିରେ ପାଲଢଙ୍କା ହେବାର ନିୟମ ରହିଛି। ଏହି ନିୟମକୁ ବାଲି ମାଫିଆମାନେ ଫୁ କରିଦେଇଛନ୍ତି। ସ୍ପଷ୍ଟ ଦିବାଲୋକରେ ଶତାଧିକ ବାଲି ଟ୍ରକ ବିନା ପାଲ ବନ୍ଧାରେ ନିର୍ଦ୍ୱନ୍ଦ୍ୱରେ ଯାତୟାତ କରୁଥିଲେ ମଧ୍ୟ ଖଣିବିଭାଗ କିମ୍ବା ପୋଲିସ ପକ୍ଷରୁ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫଳରେ ଅନେକ ସମୟରେ ଦୁର୍ଘଟଣାରେ ଧନଜୀବନ ହାନି ଘଟୁଛି। ବାଲି ଟ୍ରକ ଆଗପଛରେ ଅସାମାଜିକ ବ୍ୟକ୍ତିମାନେ ମାରଣାସ୍ତ୍ର ଧରି ବୁଲୁଥିବାରୁ ଭୟରେ ସାଧାରଣ ଲୋକେ ପାଟି ଖୋଲିବାକୁ ସାହସ କରୁନାହାନ୍ତି। ରଘୁନାଥପୁର ସରପଞ୍ଚଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ପଣ୍ଡା କୁହନ୍ତି, ମହାନଦୀଠାରୁ ମାତ୍ର ଅଳ୍ପ ଦୂରତାରେ ରଘୁନାଥପୁର ତହସିଲର ଅନେକ ବାଲି ସୈରାତରୁ ଧାର୍ଯ୍ୟ ପରିମାଣଠାରୁ ଅଧିକ ଉଠାଣ କରାଯାଇ ବଜାର ଉଚ୍ଚ ଦରରେ ବିକ୍ରି କରାଯାଉଛି।
ଏ ସମ୍ପର୍କରେ ତିର୍ତ୍ତୋଲ ଏସ୍‌ଡିପିଓ ଚିନ୍ମୟ ରାଉତ କହିଛନ୍ତି, ବାଲି ଚୋରା ଚାଲାଣ ସମ୍ପର୍କରେ ଆମ ପାଖରେ କୌଣସି ଖବର ନାହିଁ। ଅଭିଯୋଗ ହେଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।