ରାସ୍ତାରେ ପକାଇଥିଲେ ବାଲି, ଚିପ୍ସ : କହିବାରୁ ବାପା, ଝିଅଙ୍କୁ ହାଣିଲେ

ଭଦ୍ରକ ଅଫିସ,୧୬।୭: ସାମାନ୍ୟ କଥାରୁ ବାପାଝିଅଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଛି। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଧୀନ ଏଲଖା ଗାଁରେ। ଉଭୟ ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଲକ୍ଷ୍ମଣ ମିଶ୍ର, ଝିଅ ମିନତୀ। ରାସ୍ତାରେ ବାଲି ଓ ଚିପ୍ସ ଗଦା ହୋଇଥିବା ନେଇ ପ୍ରତିବାଦ କରିବାରୁ ଲକ୍ଷ୍ମଣ ଏବଂ ମିନତୀଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ଲକ୍ଷ୍ମଣଙ୍କର ଉକ୍ତ ଅଞ୍ଚଳର ଜଣଙ୍କ ଏକ ପରିବାରସହ ପୂର୍ବ ଶତ୍ରୁତା ଲାଗି ରହିଥିଲା। ରାସ୍ତାରେ ବାଲି, ଚିପ୍ସ ଗଦା ହେବାକୁ ନେଇ ଲକ୍ଷ୍ମଣ, ମିନତୀ ପ୍ରତିବାଦ କରିବାରୁ ଗୁରୁବାର ରାତିରେ ଏଭଳି ଗଣ୍ଡଗୋଳର ସୂତ୍ରପାତ ହୋଇ ଆକ୍ରମଣ କରାଯଇଥିଲା। ଖବରପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ୩ ଜଣ ଥାନାରେ ଅଟକ ଥିବା ବେଳେ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ସୂଚନା ମିଳିଛି।