ହର୍ମୁଜରେ ଇରାନକୁ ଶୁଳ୍କ ଦେଲେ କଟକଣା ଲାଗିବ

ଦୁବାଇ,୩ା୫:  ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ସୁରକ୍ଷିତ ଭାବେ ଅତିକ୍ରମ କରିବା ପାଇଁ ଇରାନକୁ ଶୁଳ୍କ ଦେଉଥିବା ଜାହାଜ କମ୍ପାନୀଗୁଡ଼ିକ ଉପରେ କଟକଣା ଲଗାଇବାକୁ ଆମେରିକା ଚେତାବନୀ ଦେଇଛି। ଆମେରିକା ବିଦେଶ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟ (ଓଏଫ୍‌ଏସି) ପକ୍ଷରୁ ଏହି ଚେତାବନୀ ପୋଷ୍ଟ କରାଯାଇଥିବାବେଳେ ହର୍ମୁଜ୍‌ ନିୟନ୍ତ୍ରଣକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଲାଗିରହିଥିବା ଅଚଳାବସ୍ଥା ଉପରେ ଏହା ଆଉ ଏକ ଚାପ ବୋଲି କୁହାଯାଉଛି।
ଯୁଦ୍ଧ ପୂର୍ବରୁ ବିଶ୍ୱ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ବାଣିଜ୍ୟର ଏକ-ପଞ୍ଚମାଂଶ ପାରସ୍ୟ ଉପସାଗରର ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ଜଳପଥ ଦେଇ ହେଉଥିଲା। ଫେବୃଆରୀ ୨୮ରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍‌ ମିଳିତ ଆକ୍ରମଣ କରିବା ପରେ ତେହରାନ୍‌ ଉକ୍ତ ଜଳପଥକୁ ଜାହାଜ ଚଳାଚଳ ପାଇଁ ବନ୍ଦ କରିଦେବାରୁ ତୈଳ ଓ ଗ୍ୟାସ୍‌ ପରିବହନରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଫଳରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇବା ସହ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି। ପରବର୍ତ୍ତୀ ସମୟରେ ଇରାନ କେତେକ ଜାହାଜକୁ ବିକଳ୍ପ ମାର୍ଗ
ଦେଇ ସୁରକ୍ଷିତ ଯାତ୍ରା ନିମନ୍ତେ ସୁଯୋଗ ଦେଲା ଓ ଏହି ସେବା ପାଇଁ ବେଳେବେଳେ ଦେୟ ଆଦାୟ କଲା। ଏହି ଟୋଲ୍‌ ଆଦାୟକୁ ଆମେରିକା ବିରୋଧ କରିବା ସହ କଟକଣା ଧମକ ଦେଇଛି।
ଓଏଫ୍‌ଏସି କହିଛି ଯେ, ଇରାନକୁ କେବଳ ନଗଦ ଅର୍ଥ ନୁହେଁ, ବରଂ ଡିଜିଟାଲ ଆସେଟ୍ସ, ଅଫ୍‌ସେଟ, ଇନ୍‌ଫର୍ମାଲ ସ୍ବାପ୍‌ ବା ଅନ୍ୟାନ୍ୟ ମାଧ୍ୟମରେ ଶୁଳ୍କ ପୈଠ କରିବାକୁ ପଡ଼ିପାରେ। ସେଥିପାଇଁ ଓଏଫ୍‌ଏସି ଆମେରିକା ଏବଂ ଅଣଆମେରିକୀୟ ବ୍ୟକ୍ତିବିଶେଷଙ୍କୁ ସତର୍କ କରାଇବା ପାଇଁ ଉପରୋକ୍ତ ଚେତାବନୀ ଜାରି କରିଛି। ଶୁଳ୍କ ପୈଠ କରିବାର ଯେକୌଣସି ପଦ୍ଧତି ବ୍ୟବହାର କଲେ ମଧ୍ୟ ସେଥିରେ ବିପଦ ରହିଥିବା କୁହାଯାଇଛି।
ଇରାନର ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ଅବରୋଧର ଜବାବରେ ଆମେରିକା ନୌସେନା ଗତ ୧୩ ତାରିଖରୁ ଏହାର ବନ୍ଦରଗୁଡ଼ିକୁ ଅବରୋଧ କରି ରଖିଛି। ଫଳରେ ଇରାନର ଜାହାଜଗୁଡ଼ିକ ଏହାର ବନ୍ଦର ମଧ୍ୟକୁ ପ୍ରବେଶ କିମ୍ବା ପ୍ରସ୍ଥାନ କରିପାରୁ ନାହିଁ। ଯୁଦ୍ଧରେ କ୍ଷତିଗ୍ରସ୍ତ ଅର୍ଥନୀତିକୁ ସୁଧାରିବା ପାଇଁ ଇରାନ ଆବଶ୍ୟକ କରୁଥିବା ତୈଳ ରାଜସ୍ବ ପାଇବାରୁ ବଞ୍ଚତ୍ତ ହୋଇଛି। ଅବରୋଧ ଆରମ୍ଭ ହେବା ଦିନରୁ ୪୫ଟି ବାଣିଜି୍ୟକ ଜାହାଜକୁ ଫେରାଇ ଦିଆଯାଇଥିବା ଆମେରିକା ସେଣ୍ଟ୍ରାଲ କମାଣ୍ଡ କହିଛି।
ସୂଚନାଯୋଗ୍ୟ, ଯୁଦ୍ଧ ବନ୍ଦ ପାଇଁ ଇରାନ ଦେଇଥିବା ସଦ୍ୟତମ ପ୍ରସ୍ତାବକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରତ୍ୟାଖ୍ୟାନ କରିଦେବା ପରେ ଉପରୋକ୍ତ ଚେତାବନୀ ଜାରି ହୋଇଛି। ସେମାନେ ଏକ ଡିଲ୍‌ କରିବାକୁ ଚାହୁଁଥିଲେ, ମୁଁ ସେଥିରେ ସନ୍ତୁଷ୍ଟ ନୁହେଁ, ତେଣୁ କ’ଣ ହେଉଛି ଦେଖିବା ବୋଲି ଟ୍ରମ୍ପ୍‌ ଶୁକ୍ରବାର ହ୍ବାଇଟ୍‌ ହାଉସ୍‌ରେ କହିଥିଲେ। ତେବେ ଟ୍ରମ୍ପ୍‌ ଇରାନ ପ୍ରସ୍ତାବରେ ଥିବା ତ୍ରୁଟିବିଚ୍ୟୁତି ବିଷୟରେ ବିସ୍ତୃତ ଭାବେ କିଛି କହି ନ ଥିଲେ ମଧ୍ୟ ଏହାର ନେତୃତ୍ୱକୁ ନେଇ ନିରାଶା ବ୍ୟକ୍ତ କରିଥିଲେ।

Dharitri – Odisha’s No.1 Odia Daily