Categories: ଜାତୀୟ

ଦେଶ ବିରୋଧି ସଂଗଠନ ପାଇଁ ଲାଗୁ ହେଉ କଟକଣା,ଡୋଭାଲଙ୍କ ଉପସ୍ଥିତିରେ ସଂକଳ୍ପ…

ନୂଆଦିଲ୍ଲୀ, ୩୦।୭ : ଦେଶ ବିରୋଧି ସଂଗଠନଙ୍କ ପାଇଁ କଟକଣା ଲାଗୁହେଉ। ଏନେଇ ଏକ ସର୍ବଧର୍ମ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନେ ସଂକଳ୍ପ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜାତୀୟ ସୁରକ୍ଷା ପରାମର୍ଶ ଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଯୋଗଦେଇଥିଲେ। ପିଏଫ୍‌ଆଇ ପରି ସଂଗଠନ ଏବଂ ଅନ୍ୟାନ୍ୟ ଫ୍ରଣ୍ଟ ଯାହା ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଅଛି ଏବଂ ଆମ ନାଗରିକଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରୁଛି। ଦେଶର ନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବା ଉଚିତ ବୋଲି କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି।

ଦିଲ୍ଲୀର ଇଣ୍ଟର ଫେଥ ଡାଏଲଗରେ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିବା ରିଜୋଲ୍ୟୁଶନରେ ଉଲ୍ଲେଖ କରାଯାଇଛି ଯେ, ଆମେ ଦୃଢ଼ ଭାବରେ ସୁପାରିଶ କରୁଛୁ ଯେ ଯଦି କୌଣସି ବ୍ୟକ୍ତି କିମ୍ବା ସଂଗଠନ ସମ୍ପ୍ରଦାୟ ମଧ୍ୟରେ ଘୃଣାଭାବ ବିସ୍ତାର କରିବାର ପ୍ରମାଣ ମିଳେ, ତା’ହେଲେ ପ୍ରଚଳିତ ଆଇନ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

ଆଲୋଚନା କିମ୍ବା ବିତର୍କରେ ଯେ କୌଣସି ଦେବୀ, ଦେବତା କିମ୍ବା ମହାପୁରୁଷଙ୍କୁ ଟାର୍ଗେଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଇନ ଅନୁଯାୟୀ କରାଯିବା ଜରୁରୀ। ଏହି ଅବସରରେ ଡୋଭାଲ ସେ କହିଛନ୍ତି ଯେ ବିଶ୍ୱରେ ବିବାଦର ପରିବେଶ ସୃଷ୍ଟି ହେଉଛି। ଯଦି ଆମକୁ ସେହି ପରିବେଶର ସାମ୍ନା କରିବାକୁ ପଡିବ, ତେବେ ଦେଶର ଏକତା ବଜାୟ ରଖିବା ଏବଂ ଏକ ଶକ୍ତିଶାଳୀ ଦେଶ ପରି ଆଗକୁ ବଢ଼ିବା ଆବଶ୍ୟକ। ଗତ କିଛି ବର୍ଷ ଧରି ଦେଶ ଯେଉଁ ଅଗ୍ରଗତି କରିଛି ତାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଲାଭଦାୟକ ହେବ। ଧର୍ମ କିମ୍ବା ଆଦର୍ଶ ନାମରେ ଲୋକଙ୍କ ମଧ୍ୟରେ ହିଂସା କିମ୍ବା ଦ୍ୱନ୍ଦ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା କିଛି ଲୋକଙ୍କ କାର୍ଯ୍ୟ ସମଗ୍ର ଦେଶକୁ ପ୍ରଭାବିତ କରିଥାଏ। ଏହା ଦେଶ ଭିତରେ ଏବଂ ଦେଶ ବାହାରେ ମଧ୍ୟ ପ୍ରଭାବ ସୃଷ୍ଟି କରିଥାଏ।

ଡୋଭାଲ କହିଛନ୍ତି ଯେ ମୂକ ଦର୍ଶକ ପରି ରହିବା ପରିବର୍ତ୍ତେ ଆମକୁ ସ୍ବର ଉତ୍ତୋଳନ କରିବାରର ଆବଶ୍ୟକତା ରହିଛି। ଏହା ସହିତ ତୃଣମୂଳ ସ୍ତରରୁ ଆମ ମଧ୍ୟରେ ଥିବା ମତଭେଦ ଏବଂ ପାର୍ଥକ୍ୟକୁ ମଧ୍ୟ ଶେଷ କରିବାକୁ ପଡିବ। ଆମକୁ ଭାରତର ପ୍ରତ୍ୟେକ ସମ୍ପ୍ରଦାୟକୁ ଅନୁଭବ କରାଇବାକୁ ପଡିବ ଯେ ଆମେ ଏକ ଦେଶ। ଆମେ ଏହା ପାଇଁ ଗର୍ବିତ ଏବଂ ପ୍ରତ୍ୟେକ ଧର୍ମ ଏଠାରେ ସ୍ବାଧୀନତା ପାଇ ପାରିବେ। ଏହି କାର୍ଯ୍ୟକ୍ରମରେ ହଜରତ ସୟଦ ନାସରୁଦ୍ଦିନ ଚିସ୍ତି ମଧ୍ୟ ଉପସ୍ଥିତ ଥିଲେ। ସେ ଡୋଭାଲଙ୍କ ଉପସ୍ଥିତିରେ କହିଛନ୍ତି ଯେ ଯେତେବେଳେ କୌଣସି ଘଟଣା ଘଟେ, ଆମେ ଏହାକୁ ନିନ୍ଦା କରୁ। କିଛି କରିବାର ସମୟ ଆସିଛି। ଦେଶ ବିରୋଧି କାର୍ଯ୍ୟରେ ଲିପ୍ତଥିବା ସଂଗଠନ ଗୁଡ଼ିକୁ ଉପଯୁକ୍ତ ପ୍ରମାଣ ଆଧାରରେ ନିଷିଦ୍ଧ ଘୋଷଣା କରାଯିବା ଜରୁରୀ।

Share