ଦିଗପହଣ୍ଡି,୧୪।୧୧(ଅଶେଷ ନାଥ ମିଶ୍ର): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପି.ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଭାଲିଆଝୋଳା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛି।
୨୦୨୩-୨୪ ଶିକ୍ଷା ବର୍ଷରେ ମଧ୍ୟ ଏହି ବିଦ୍ୟାଳୟ ଗଞ୍ଜାମ ଜିଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିଲା। ଶିକ୍ଷା ବର୍ଷ ୨୦୨୪ ଓ ୨୦୨୫ ସକାଶେ କ୍ରମାଗତ ୨ୟ ଥର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ହାସଲ କରିବା ସମଗ୍ର ସାନଖେମୁଣ୍ଡି ଅଞ୍ଚଳ ପାଇଁ ଏକ ଗୌରବ ଆଣିଦେଇଛି ।
ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହାଇସ୍କୁଲଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠାରୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ନାୟକ ପୁରସ୍କାର ଗ୍ରହଣ କରିଥିଲେ। ଏଥିରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ଥିଲେ। ଗାଁ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ପୁରସ୍କାର ମିଳିଥିବା ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ, ଅଭିଭାବକ ବୃନ୍ଦ, ବିଦ୍ୟାଳୟ ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ବୃନ୍ଦ, ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମେତ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ଏବଂ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।
ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ନାୟକଙ୍କ ତତ୍ତ୍ୱାବଧାନରେ ଏବଂ ସିଆର୍ସିସି ଦିଲ୍ଲୀପ କୁମାର ପ୍ରଧାନଙ୍କ ମାର୍ଗ ଦର୍ଶନରେ ବିଦ୍ୟାଳୟରେ ବିଭିନ୍ନ ଅଭିନବ ଶିକ୍ଷଣ କାର୍ଯ୍ୟକ୍ରମ, ଶିକ୍ଷଣ ପଦ୍ଧତି ଓ ଛାତ୍ରୀଛାତ୍ରଙ୍କ ସର୍ବାଙ୍ଗୀନ ବିକାଶ ମୂଳକ ଉଦ୍ୟମ କାର୍ଯ୍ୟକାରୀ ହୋଇଆସୁଛି। ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ପୁରସ୍କାର ମିଳିଥିବାରୁ ବିଦ୍ୟାଳୟ ପ୍ରଧାନଶିକ୍ଷକ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସିଆର୍ସିସି, ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ତଥା ଛାତ୍ରୀଛାତ୍ର ଓ ବିଦ୍ୟାଳୟ ପରିଚାଳନା କମିଟି କାର୍ଯ୍ୟକର୍ତ୍ତା, ସଦସ୍ୟା ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି।