Categories: ଜାତୀୟ

ଆର୍ଯ୍ୟନଙ୍କ ମାମଲାର ତଦନ୍ତ ଜାରି ରଖିବେ ଓ୍ବାଙ୍ଖଡେ

ନୂଆଦିଲ୍ଲୀ,୨୭।୧୦: ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଜୋନାଲ ଅଫିସର ସମୀର ଓ୍ବାଙ୍ଖଡେଙ୍କୁ ଲାଞ୍ଚ କାରବାର ମାମଲାରେ ବୁଧବାର ପଚରାଉଚରା କରାଯାଇଛି। ଏହାସତ୍ତ୍ୱେ ଓ୍ବାଙ୍ଖଡେ ମୁମ୍ବାଇର କ୍ରୁଜ ଡ୍ରଗ୍ସ ମାମଲାରେ ତଦନ୍ତ ଜାରି ରଖିବେ, ଯେଉଁ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ। ତାଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ନ ମିଳିବା ପର୍ଯ୍ୟନ୍ତ ସେ ତଦନ୍ତ ଜାରି ରଖିବେ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି।

ପୂର୍ବରୁ ଚଳିତ ସପ୍ତାହରେ, କ୍ରୁଜ ଜାହଜ ଚଢ଼ାଉ ମାମଲାରେ ଏନ୍‌ସିବିର ଜଣେ ସ୍ବାଧୀନ ସାକ୍ଷୀ ଏନ୍‌ସିବି ଅଧିକାରୀ ଓ୍ବାଙ୍ଖଡେଙ୍କ ବିରୋଧରେ ଲାଞ୍ଚ କାରବାର ଅଭିଯୋଗ ଆଣିଥିଲେ। ଏହା ଛଡ଼ା ତାଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ବାବ ମଲିକ।

ଓ୍ବାଙ୍ଖଡେ ମାମଲା ସହ ଜଡ଼ିତ ସମସ୍ତ ଡକ୍ୟୁମେଣ୍ଟ ଦାଖଲ କରିଛନ୍ତି। ଯଦି ଦରକାର ପଡ଼େ, ତାଙ୍କୁ ପୁଣି ଥରେ ପଚରାଉଚରା କରାଯିବ ବୋଲି ଏନ୍‌ସିବିର ବରିଷ୍ଠ ଅଧିକାରୀ ଗ୍ୟାନେଶ୍ୱର ସିଂ କହିଛନ୍ତି।

Share