ବଡ଼ଗାଁ, ୧୯।୫(ଅଶୋକ ଷଡଙ୍ଗୀ): ଭାରତରେ ତୈଳବୀଜ ଉତ୍ପାଦନ ସେତେଟା ହେଉନଥିବାରୁ ଭାରତ ଅନ୍ୟ ଦେଶ ଉପରେ ନିର୍ଭର କରୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ତେଲ ବ୍ୟବହାର କମ କରିବାକୁ କହିଛନ୍ତି। ତେଲ ବ୍ୟବହାର କମ କରିବା ଓ ଚାଷୀମାନେ ତୈଳବୀଜ ଉତ୍ପାଦନ ଉପରେ ଗୁରୁତ୍ୱ ଦେଲେ ତୈଳ ଆବଶ୍ୟକତାକୁ କିଛିକାଂଶରେ ଭରଣା କରାଯାଇପାରିବ ବୋଲି କହିଛନ୍ତି ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ବାଇବାଇ ଗ୍ରାମର ଯୁବଚାଷୀ ସମୀର କୁମାର ରାଉତରାୟ। ଗତ ୧୫ ବର୍ଷ ହେଲା ସେ ସୂର୍ଯ୍ୟମୁଖୀ, ଚିନାବାଦାମ, ସୋରିଷ ଚାଷ କରିଆସୁଛନ୍ତି। ଚଳିତବର୍ଷ ସେ ତାଙ୍କ ବାଡ଼ିର ୭୫ ଡିସିମିଲ ଜମିରେ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି। ଏହି ଚାଷରେ ସେ ମୋଟ ଚାରି ହଜାର ଦୁଇଶହ ଟଙ୍କା ବିନିଯୋଗ କରିଛନ୍ତି। ଏଥିରୁ ସେ ପ୍ରାୟ ଶହେ ଲିଟର ସୂର୍ଯ୍ୟମୁଖୀ ତେଲ ପାଇବେ ବୋଲି କହିଛନ୍ତି। ଯୁବଚାଷୀ ରାଉତରାୟ କହିଛନ୍ତି, ଭାରତ ୨୦୨୪-୨୦୨୫ରେ ରୁଷିଆ, ୟୁକ୍ରେନ ଓ ଅର୍ଜେଣ୍ଟିନାରୁ ୩୪ ହଜାର କୋଟି ଟଙ୍କାର ସୂର୍ଯ୍ୟମୁଖୀ ତେଲ ଆମଦାନୀ କରିଥିଲା। ଯଦି ଭାରତର ଚାଷୀ ତୈଳବୀଜ ଶସ୍ୟ ଚାଷ ଉପରେ ଗୁରୁତ୍ୱ ଦିଅନ୍ତି ଓ ଏଥିପାଇଁ ସରକାର ଚାଷୀଙ୍କୁ ଉତ୍ସାହିତ ,ସହଯୋଗ କରନ୍ତି ତେବେ ଏହି ଆମଦାନୀ ପରିମାଣକୁ ଅନେକାଂଶରେ କମ୍ କରାଯାଇପାରିବ। ସୂର୍ଯ୍ୟମୁଖୀ ଚାଷ ସହିତ ଯୌଥ ଫସଲ ଉତ୍ପାଦନ କରାଯାଇପାରୁଥିବାରୁ ଚାଷୀମାନେ ଲାଭବାନ ହୋଇପାରିବେ।