Categories: ଜାତୀୟ

ସମଲିଙ୍ଗୀ ବିବାହ ମାମଲା: ଏପ୍ରିଲ ୧୮ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୩ା୩: ସମଲିଙ୍ଗୀ ବିବାହ ମାମଲାର ସୋମବାର ସୁପ୍ରିମକୋର୍ଟ ଶୁଣାଣି କରି ୫ ଜଣିଆ ଜଣିଆ ଖଣ୍ଡପୀଠଙ୍କୁ ଏହି ମାମଲା ହସ୍ତାନ୍ତର କରିଛନ୍ତି। ଏଥିସହ ଆଇନଗତ ସ୍ବୀକୃତି ଉପରେ ଅନ୍ତିମ ଯୁକ୍ତି ପାଇଁ କୋର୍ଟ ଏପ୍ରିଲ ୧୮ ତାରିଖକୁ ଧାର୍ଯ୍ୟ କରିଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ସମାଜ ଉପରେ ଏକ ବଡ଼ ପ୍ରଭାବ ପକାଇବ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୂଚନା ମୁତାବକ, ସ୍ବତନ୍ତ୍ର ବିବାହ ନିୟମ ଅନୁଯାୟୀ ସମଲିଙ୍ଗୀ ବିବାହର ପଞ୍ଜୀକରରଣ ଏହି ଆବେଦନରେ ଦାବି କରାଯାଇଛି। ଅନ୍ୟପଟେ ଏହା ଭାରତର ପାରିବାରିକ ବ୍ୟବସ୍ଥା ବିରୁଦ୍ଧରେ ହେବ ବୋଲି କେନ୍ଦ୍ର କହିଛି। ସମଲିଙ୍ଗୀ ବିବାହ ଭାରତୀୟ ପରିବାର ଧାରଣା ମୁତାବିକ ନୁହେଁ। ସ୍ବାମୀ, ସ୍ତ୍ରୀ ଓ ପିଲାଙ୍କୁ ନେଇ ଭାରତୀୟ ପରିବାର ଗଠିତ, ଯେଉଁଠି ସ୍ବାମୀ ଜଣେ ଜୈବିକ ପୁରୁଷ ଓ ସ୍ତ୍ରୀ ଜୈବିକ ମହିଳା ହେବା ଜରୁରୀ। ଏଥିରେ ଆଇନଗତ ପ୍ରତିବନ୍ଧକ ମଧ୍ୟ ଆସିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ୬ରେ ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହ ପ୍ରସଙ୍ଗରେ କେନ୍ଦ୍ରକୁ ନୋଟିସ ଜାରି କରିଥିଲେ। ଏଥିସହ ବିଭିନ୍ନ ହାଇକୋର୍ଟରେ ବିଚାରାଧୀନ ଆବେଦନକୁ ନିଜକୁ ସ୍ଥାନାନ୍ତର କରିଥିଲେ। ବର୍ତ୍ତମାନ କୋର୍ଟରେ ୧୫ରୁ ଅଧିକ ଆବେଦନ ରହିଛି। ସମଲିଙ୍ଗୀ ଏବଂ ଟ୍ରାନ୍ସଜେଣ୍ଡରଙ୍କ ଦ୍ୱରା ଅଧିକାଂଶ ଏହି ଆବେଦନ କରାଯାଇଥିବା ଜଣାପଡ଼ିଛି।

 

Share