ସମ୍ବଲପୁର ମଣ୍ଡଳ: ୧୬ ଷ୍ଟେଶନର ହେବ ଆଧୁନିକୀକରଣ

ସମ୍ବଲପୁର,୪ା୨(ବ୍ୟୁରୋ): କେନ୍ଦ୍ର ରେଳ ବଜେଟରେ ଓଡ଼ିଶାକୁ ପ୍ରାୟ ୧୦ ହଜାର କୋଟି ବ୍ୟୟ ବରାଦ ହୋଇଛି। ସମ୍ବଲପୁର ରେଳମଣ୍ଡଳର ଅନେକ ଷ୍ଟେଶନ, ରେଳ ଲାଇନ ତଥା ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ କରାଯିବ। ଅମୃତ ଷ୍ଟେଶନ ଯୋଜନାରେ ସମ୍ବଲପୁର ମଣ୍ଡଳର ୧୬ ଗୋଟି ଷ୍ଟେଶନକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇଛି। ସ୍ଥାନୀୟ କଳା, ସଂସ୍କୃତିକୁ ନେଇ ଷ୍ଟେଶନର ଡିଜାଇନ ତିଆରି କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଶୁକ୍ରବାର ସମ୍ବଲପୁର ମଣ୍ଡଳ ଅଫିସରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମଣ୍ଡଳ ପ୍ରବନ୍ଧକ ବିନିତ ସିଂ ସୂଚନା ଦେଇଥିଲେ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭର୍ଚୁଆଲ ମାଧ୍ୟମରେ ଖବରଦାତା ସମ୍ମିଳନୀରେ ଯୋଗଦେଇ କହିଥିଲେ, କେନ୍ଦ୍ର ସରକାର ରାଜ୍ୟକୁ ୧୦ ହଜାର କୋଟି ଟଙ୍କା ବଜେଟରେ ଅନୁମୋଦନ କରିଛନ୍ତି। ଏଥିରେ ଷ୍ଟେଶନଗୁଡିକ ବିକାଶ କରାଯିବ। ନୂତନ ଲାଇନ ନିର୍ମାଣ ସହ ଯାତ୍ରୀଙ୍କ ସୁବିଧାକୁ ନେଇ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି। ରାଜ୍ୟ ସରକାର ୮ହଜାର ୪ ଶହ କୋଟି ଦାବି କରିଥିଲେ। ହେଲେ କେନ୍ଦ୍ର ସରକାର ଅଧିକ ଟଙ୍କା ଦେଇଛନ୍ତି। ଭିତ୍ତିଭୂମି ବିକାଶ ସାଙ୍ଗକୁ ନୂତନ ରେଳଲାଇନ ବିଛାଇବା କାମ ଚାଲିଛି। ଏକବର୍ଷ ଭିତରେ ୨୮୦କି.ମି. ରେଳ ଲାଇନ ବିଛା ହୋଇଛି। ମଣ୍ଡଳ ପ୍ରବନ୍ଧକ ସିଂ କହିଥିଲେ, ସମ୍ବଲପୁର ମଣ୍ଡଳ ଅଧୀନରେ ଟିଟିଲାଗଡ, ବଲାଙ୍ଗୀର, ସମ୍ବଲପୁର, କେସିଙ୍ଗା, ବରଗଡ ରୋଡ୍‌, କଣ୍ଟାବାଞ୍ଜି, ସମ୍ବଲପୁର ସିଟି, ଭବାନୀପାଟଣା, ଝାରସୁଗୁଡା ରୋଡ୍‌, ରେଢ଼ାଖୋଲ, ମହାସମୁନ୍ଦ, ମୁନିଗୁଡା, ଖରିଆର ରୋଡ୍‌, ହୀରାକୁଦ, ବରପାଲି, ହରିଶଙ୍କର ରୋଡ୍‌ ଆଦି ଷ୍ଟେଶନ ରହିଛି। ଷ୍ଟେଶନ ନିର୍ମାଣ ପାଇଁ ଏଜେନ୍ସିକୁ ଚୟନ କରାଯାଇଛି। ସ୍ଥାନୀୟ ଅଞ୍ଚଳର କଳା, ସଂସ୍କୃତିକୁ ନେଇ ଲୋକଙ୍କ ପରାମର୍ଶ ନିଆଯିବ। ତଦନୁସାରେ ଡିଜାଇନ କରାଯାଇ ବିଭାଗରୁ ଅନୁମୋଦନ କରାଯିବ ଓ କାମ ହେବ। ଏବେ ଏସବୁ କାମ ନେଇ ଚୂଡାନ୍ତ ହୋଇ ନାହିଁ ବୋଲି ସେ କହିଥିଲେ। ଏହି ଅବସରରେ ଏଡିଆର୍‌ଏମ୍‌ ଆନନ୍ଦ ସିଂଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।