ସୀମାରାଣୀ-ଅଞ୍ଜଳି ମୁହାଁମୁହିଁ

ଢେଙ୍କାନାଳ ଅଫିସ, ୨।୪: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ନିର୍ବାଚନ ଲାଗି ଭୋଟ ଗ୍ରହଣ ଆସନ୍ତା ୩ ତାରିଖରେ ହେବ। ଏଥିପୂର୍ବରୁ ଶନିବାର ଅପରାହ୍ନ ୫ଟାରେ ପ୍ରଚାର ଶେଷ ହୋଇଛି। ଅନ୍ତିମ ଦିନରେ ପ୍ରମୁଖ ରାଜନୈତିକ ଦଳର ନେତୃବୃନ୍ଦ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଅନ୍ୟପଟେ ଶେଷ ମୁହୂର୍ତ୍ତରେ ପ୍ରଚାର ମଇଦାନରେ ବିଧାୟିକା ସୀମାରାଣୀ ନାୟକ ଏବଂ ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତ୍ରୀ ଅଞ୍ଜଳି ବେହେରା ମୁହଁାମୁହିଁ ହୋଇଥିଲେ, ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଅପରାହ୍ନରେ ଏନ୍‌ଏସିର ୯ନଂ. ଓ୍ବାର୍ଡ ଅଧୀନ ରୁପାଲି ଗ୍ରାମରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଥିଲା। ବିଜେଡି ବିଧାୟିକା ସୀମାରାଣୀ ନାୟକ ଦଳୀୟ କର୍ମୀଙ୍କ ସହ ରୁପାଲି ଗ୍ରାମକୁ ପ୍ରଚାର କରିବାକୁ ଯାଉଥିବାବେଳେ ଭାଜପା ନେତ୍ରୀ ଅଞ୍ଜଳି ବେହେରା ସମର୍ଥକଙ୍କୁ ନେଇ ରାସ୍ତା ଅବରୋଧ କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ। ପୋଲିସ, ତହସିଲଦାର ପହଞ୍ଚତ୍ ବୁଝାଶୁଝା କରିଥିଲେ ମଧ୍ୟ ଅପରାହ୍ନ ୫ଟା ଯାଏ ସ୍ଥିତି ନିୟନ୍ତ୍ରଣ ହୋଇ ନ ଥିଲା। ଇତିମଧ୍ୟରେ ନିର୍ବାଚନ ପ୍ରଚାର ସମୟ ଶେଷ ହୋଇଯାଇଥିବାରୁ ଉଭୟ ଦଳର ନେତୃବୃନ୍ଦ ଏବଂ କର୍ମୀ ନିଜ ନିଜ ବାଟରେ ଫେରିଯାଇଥିଲେ।
ଘଟଣା ସମ୍ପର୍କରେ ଅଞ୍ଜଳି କୁହନ୍ତି, ନିର୍ବାଚନ ସମୟରେ ଏଭଳି ଛୋଟ ବଡ଼ ଘଟଣା ହୁଏ। ବିଧାୟିକା ତାଙ୍କ ଗ୍ରାମକୁ ଆସି ପ୍ରଚାର କରିବା କଥା କି ବୋଲି କହି ସେ ପ୍ରସଙ୍ଗ ଏଡ଼ାଇ ଯାଇଥିଲେ। ଏ ନେଇ ବିଧାୟିକା ସୀମାରାଣୀ କୁହନ୍ତି, ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ଏବଂ କର୍ମୀମାନେ ପ୍ରଚାରରେ ଯାଇଥିବାବେଳେ ସେମାନଙ୍କୁ ଭାଜପା ନେତୃବୃନ୍ଦ ଅଟକାଇଥିଲେ। ଏହାପରେ ଆମେ ଯାଇ ପହଞ୍ଚତ୍ଥିଲୁ। ନିଜେ ଅଞ୍ଜଳି ମହିଳାଙ୍କୁ ନେଇ ରାସ୍ତାରେ ବସିଥିଲେ। ସମ୍ପୃକ୍ତା ମହିଳାମାନେ ଆମେ କିଛି କାମ କରିନାହୁଁ ବୋଲି ଅଭିଯୋଗ କରିଥିଲେ। ହେଲେ ଅଞ୍ଜଳି ଏବଂ ତାଙ୍କ ବାପା ୩୦ବର୍ଷ ଶାସନରେ ଥିଲେ। ମନ୍ତ୍ରୀ ପଦ ମଧ୍ୟ ପାଇଥିଲେ। ସେମାନେ କ’ଣ କରିଛନ୍ତି ବୋଲି ପାଲଟା ପ୍ରଶ୍ନ ପଚାରିଥିଲୁ। ବରଂ ବିଜେଡି ସରକାର ସମୟରେ ରାସ୍ତାଘାଟ ସବୁ କରାଯାଇଛି ବୋଲି କହିଥିଲୁ। କଥା କଟାକଟି ମଧ୍ୟରେ ୫ଟା ବାଜିବାରୁ ସମସ୍ତେ ନିଜ ନିଜ ବାଟରେ ଯାଇଥିଲେ। ଦଳୀୟ କର୍ମୀମାନେ ଅନ୍ୟ ରାସ୍ତାରେ ଯାଇ ରୁପାଲି ଗ୍ରାମରେ ପ୍ରଚାର କରିଥିବା ବିଧାୟିକା ସୂଚନା ଦେଇଛନ୍ତି।