ସାଉଥ୍ ସିନେମା ଓ ୱେବ୍ ସିରିଜ୍ ‘ଦି ଫ୍ୟାମିଲି ମ୍ୟାନ୍’ର ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ଘରକୁ ଆସିଛି ନୂଆ ଅତିଥି । ୩୯ ବର୍ଷ ବୟସରେ ମା’ ହୋଇଛନ୍ତି ସାମନ୍ଥା। ତାଙ୍କ ସ୍ୱାମୀ ତଥା ଫିଲ୍ମ ନିର୍ମାତା ରାଜ ନିଦିମୋରୁଙ୍କ ସହ ତାଙ୍କର ପ୍ରଥମ ସନ୍ତାନ ଭାବେ ଏକ ପୁତ୍ର ସନ୍ତାନ ଜନ୍ମ ନେଇଛି । ନଭେମ୍ବର ୧୯ ତାରିଖରେ ଶିଶୁପୁତ୍ରର ଜନ୍ମ ହୋଇଥିବା ଦମ୍ପତି ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି। ଏଥିସହ ପୁଅର ନାଁ ଓ ପ୍ରଥମ ଝଲକ ମଧ୍ୟ ଶେୟାର କରିଛନ୍ତି।
ସାମନ୍ଥା ସୋସିଆଲ ମିଡିଆରେ ଏକ ମନଛୁଆଁ ଫଟୋ ଶେୟାର କରିଛନ୍ତି। ଫଟୋରେ ନବଜାତ ଶିଶୁଟି ତାଙ୍କ ଓ ରାଜଙ୍କ ଆଙ୍ଗୁଠିକୁ ଧରିଥିବା ଦେଖିବାକୁ ମିଳିଛି । ଦମ୍ପତି ନିଜ ପୁଅର ନାଁ ‘ଦେବ ନିଦିମୋରୁ’ ରଖିଥିବା ଜଣାଇଛନ୍ତି । ଫଟୋ ସହ ସେମାନେ ଲେଖିଛନ୍ତି, “ଆମର ସୁନ୍ଦର ପୁଅ ଦେବ ନିଦିମୋରୁ। ୧୯.୧୧.୨୦୨୬। ଆଜି ଆମ ହୃଦୟ ପୂର୍ବାପେକ୍ଷା ଅଧିକ ଖୁସିରେ ଭରିଯାଇଛି।” ଏହି ଖବର ପ୍ରକାଶ ପାଇବା ପରେ ପ୍ରଶଂସକ ଓ ସିନେଜଗତର ବହୁ ବ୍ୟକ୍ତି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସାମନ୍ଥା ଚଳିତ ବର୍ଷ ଜୁନ୍ ୨୪ ତାରିଖରେ ନିଜ ଗର୍ଭଧାରଣ ସମ୍ପର୍କରେ ଘୋଷଣା କରିଥିଲେ। ନିଜ ତେଲୁଗୁ ଫିଲ୍ମ ‘ମା ଇଣ୍ଟି ବଙ୍ଗାରମ୍’ର ସଫଳତା ଉତ୍ସବରେ ସେ ଏହି ଖୁସି ଖବର ପ୍ରଶଂସକଙ୍କ ସହ ବାଣ୍ଟିଥିଲେ। ଏକ ଆକ୍ସନ୍ ଫିଲ୍ମର ଗୀତ ଶୁଟିଂ ସମୟରେ ନିଜ ଗର୍ଭଧାରଣ ବିଷୟରେ ଜାଣିଥିବା ମଧ୍ୟ ସେ କହିଥିଲେ। ନଭେମ୍ବର ୧୭ରେ ସାମନ୍ଥା ଓ ରାଜ ପରିବାର ସଦସ୍ୟଙ୍କ ସହ ଘରେ ପାରମ୍ପରିକ ପୂଜାର୍ଚ୍ଚନା କରିଥିଲେ । ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର ହୋଇଥିଲା।
ସାମନ୍ଥା ଓ ରାଜଙ୍କ ପ୍ରଥମ ଦେଖା ‘ଦି ଫ୍ୟାମିଲି ମ୍ୟାନ୍-୨’ର ଶୁଟିଂ ସମୟରେ ହୋଇଥିଲା। ପରେ ଦୁହେଁ ‘ସିଟାଡେଲ୍: ହନି ବନି’ରେ ମଧ୍ୟ ଏକାଠି କାମ କରିଥିଲେ। ଦୀର୍ଘଦିନ ଧରି ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ସେମାନେ ସର୍ବସାଧାରଣରେ ଏହାକୁ ସ୍ପଷ୍ଟ କରିନଥିଲେ । ଶେଷରେ ୨୦୨୫ ଡିସେମ୍ବର ୧ ତାରିଖରେ ତାମିଲନାଡୁର କୋଏମ୍ବାଟୁରସ୍ଥିତ ଈଶା ଯୋଗ କେନ୍ଦ୍ରର ଲିଙ୍ଗ ଭୈରବୀ ମନ୍ଦିରରେ ଉଭୟ ବିବାହ କରିଥିଲେ । ଭୂତ ଶୁଦ୍ଧି ବିବାହ ଯୋଗିକ ପରମ୍ପରା ଅନୁସାରେ ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ଏବେ ପୁଅ ‘ଦେବ’ର ଆଗମନ ସହ ସାମନ୍ଥା ଓ ରାଜଙ୍କ ଜୀବନରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।