ରାହୁଲଙ୍କୁ ବଡ଼ ଝଟ୍‌କା! ସିଟ୍‌ ସେୟାରିଂ ନ ହେଉଣୁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଏସପି, କଂଗ୍ରେସର ବଢିଲା ଟେନଶନ

ନୂଆଦିଲ୍ଲୀ,୨୪।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ୱାଚନ ପାଇଁ ସମାଜବାଦୀ ପାର୍ଟି ନିଜର ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ଘୋଷଣା କରିଛି। ଏହି ତାଲିକାରେ ୫ ଜଣ ପ୍ରାର୍ଥୀଙ୍କ ନାମ ସାମିଲ ରହିଛି। ଏସପି ସାହାରନପୁରର ବେହଟ ଏବଂ ସାହାରନପୁର ସଦର ଆସନରୁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି। ଏହା ବ୍ୟତୀତ ଶାମଲି, ଅମରୋହା ଏବଂ ଲଳିତପୁରରୁ ମଧ୍ୟ ପ୍ରାର୍ଥୀ ଚୂଡ଼ାନ୍ତ କରିଛି। ସାହାରନପୁରର ଉଭୟ ଆସନକୁ କଂଗ୍ରେସ ଦାବି କରିଥିଲା। ଏଭଳି ସ୍ଥିତିରେ ସପା ଆଲୋଚନା ଚୂଡ଼ାନ୍ତ ନ ହେଉଣୁ ପ୍ରାର୍ଥୀ ଘୋଷଣା କରି କଂଗ୍ରେସ ଉପରେ ଚାପ ବଢ଼ାଇ ଦେଇଛି। କେବଳ ସେତିକି ନୁହେଁ, ଏହା ମଧ୍ୟରେ ଅଖିଳେଶ ଯାଦବ ଏକ୍ସ (X) ରେ ଏକ ଲମ୍ୱା ଖୋଲା ଚିଠି ମଧ୍ୟ ଲେଖିଛନ୍ତି, ଯେଉଁଥିରେ କଂଗ୍ରେସକୁ ପରାମର୍ଶ ଦେଇଛନ୍ତି ଯେ ମନପସନ୍ଦର ଆସନ ନ ମିଳିଲେ ନିରାଶ ହୁଅନ୍ତୁ ନାହିଁ।

ଏସପିର ପ୍ରଥମ ତାଲିକାରେ କେଉଁ ଆସନରୁ କିଏ ପ୍ରାର୍ଥୀ?

ବେହଟ: ଉମର ଅଲି ଖାନ
ସାହାରନପୁର ବିଧାନସଭା: ଆଶୁ ମଲିକ (ଏହି ଦୁଇଟି ବିଧାନସଭା କ୍ଷେତ୍ର ଇମରାନ ମସୁଦଙ୍କ ଲୋକ ସଭା ଆସନ ଅଧୀନରେ ଆସେ)
ଶାମଲି: ନାହିଦ ହସନ
ଅମରୋହା ବିଧାନସଭା: ମହବୁବ ଅଲି
ଲଳିତପୁର ବିଧାନସଭା: ଜ୍ୟୋତି ଲୋଧୀ

ୟୁପି ର୍ନିବାଚନକୁ ନେଇ ଏସପି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ରହିଛି। କିନ୍ତୁ ଆସନ ବଣ୍ଟନ ଉପରେ ଏବେ ବି ଉଭୟ ଦଳ ମଧ୍ୟରେ ଆଲୋଚନା ଜାରି ରହିଛି।

ସପାର ଏହି ତାଲିକାକୁ କଂଗ୍ରେସ ଉପରେ ଚାପ ପକାଇବାର ରଣନୀତି ବୋଲି ମନେ କରାଯାଉଛି। କଂଗ୍ରେସ ୧୦୦ରୁ ଅଧିକ ଆସନ ମାଗିବା କଥା କହିଥିବା ବେଳେ ସପା ଲଗାତାର ଜିତିବା ସମ୍ଭାବନା (ୱିନେବିଲିଟି ଫ୍ୟାକ୍ଟର) କଥା କହୁଛି। ଖୋଦ ଅଖିଳେଶ ଯାଦବ ଲଗାତାର କହିଆସୁଛନ୍ତି ଯେ ଆସନ ସଂଖ୍ୟା ଅପେକ୍ଷା ବିଜୟ ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଆମକୁ ତାହା ଉପରେ ହିଁ ଧ୍ୟାନ ଦେବାକୁ ପଡ଼ିବ।

 

Share