Categories: ଜାତୀୟ

ଟିକା ନେଲେ ମୂଲାୟମ: ଉପମୁଖ୍ୟମନ୍ତ୍ରୀ କହିଲେ, କ୍ଷମା ମାଗନ୍ତୁ ଅଖିଳେଶ

ଲକ୍ଷ୍ନୌ,୭।୬: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ସୋମବାର ଲକ୍ଷ୍ନୌରେ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବରୁ ମୂଲାୟମ୍‌ଙ୍କ ପୁଅ ତଥା ଏସପି ସଭାପତି ଅଖିଳେଶ ଯାଦବ କରୋନା ଟିକାକୁ ବିରୋଧ କରିଥିଲେ ଏବଂ କହିଥିଲେ ଯେ ସେ ଏହି ଟିକା ନେବେ ନାହିଁ। ତାଙ୍କ ବିବୃତ୍ତିକୁ ନେଇ ସୋସିଆଲ ମିଡିଆରେ ପ୍ରବଳ ଚର୍ଚ୍ଚା ପ୍ରକାଶ ପାଇଥିଲା। ଅଖିଳେଶ କହିଥିଲେ ଯେ, ମୁଁ କରୋନା ଟିକା ନେବି ନାହିଁ। ଏହି ଟିକା ତ ଭାଜପା ଲୋକଙ୍କର। ମୁଁ ଏହାକୁ କିପରି ବିଶ୍ୱାସ କରିପାରିବି? ’ରାଜ୍ୟ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଅଖିଳେଶଙ୍କ ଏହି ମନ୍ତବ୍ୟ ଡାକ୍ତର ତଥା ବୈଜ୍ଞାନିକଙ୍କ ଅପମାନ ବୋଲି କହିଥିଲେ। ପାଇଁ ସେ ଏନେଇ କ୍ଷମା ମାଗନ୍ତୁ ବୋଲି ମୌର୍ଯ୍ୟ କହିଥିଲେ। ତେବେ କିଛି ସମୟ ପରେ ଅଖିଳେଶ ଯାଦବ ତାଙ୍କ ବିବୃତ୍ତି ପ୍ରତ୍ୟାହାର କରି କହିଥିଲେ ଯେ ସମ୍ପୂର୍ଣ୍ଣ ପରୀକ୍ଷା ପରେ ସେ କରୋନା ଟିକା ନେବେ।
ଏବେ ମୂଲାୟମ ଟିକା ନେବା ପରେ ଉପମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ସ୍ବଦେଶୀ ଟିକା ନେଇଥିବାରୁ ଏସପି ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କୁ ଧନ୍ୟବାଦ। ତୁମେ ଏହି ଟିକା ନେବା ହେଉଛି ଏକ ପ୍ରମାଣ। ଏହି ଟିକା ବିଷୟରେ ଗୁଜବ ଏସପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଅଖିଳେଶ ଜୀ ବିସ୍ତାର କରିଥିଲେ। ଅଖିଳେଶ ଜୀ ଏଥିପାଇଁ କ୍ଷମା ମାଗିବା ଉଚିତ୍‌।

Share