ଏସ୍‌ପି ପ୍ରାର୍ଥୀ ଅଭୟ ସିଂହ ଗିରଫ

ଅଯୋଧ୍ୟା,୧୯।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଲାଗି ରାଜନୀତି ସରଗରମ ହୋଇଛି। ଭୋଟରଙ୍କ ମନ ଜିଣିବା ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ଜୋରଦାର ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ଏଥିସହ କେଉଁ କେଉଁ ସ୍ଥାନରେ ବିଭିନ୍ନ ଦଳ ମଧ୍ୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ଇତିମଧ୍ୟରେ ଅଯୋଧ୍ୟା ଜିଲାର ଗୋସାଇଗଞ୍ଜ ବିଧାନସଭା ଆସନରୁ ଏସ୍‌ପି ପ୍ରାର୍ଥୀ ଅଭୟ ସିଂ ଏବଂ ଭାଜପା ପ୍ରାର୍ଥୀ ଆରତୀ ତିୱାରୀଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ବିଳମ୍ବିତ ରାତିରେ ଉଭୟ ପକ୍ଷ ପରସ୍ପରକୁ ପଥର ଫିଙ୍ଗିବା ଓ ଗୁଳି ଚଳାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ଏସ୍‌ପି ପ୍ରାର୍ଥୀ ଅଭୟ ସିଂଙ୍କୁ ପୋଲିସ ଗିରଫ କରିଛି। ସକାଳ ୪ଟାରୁ ତାଙ୍କୁ ଘରୁ ଗିରଫ କରାଯାଇଥିଲା। ସୂଚନାଯୋଗ୍ୟ, ମହାରାଜଗଞ୍ଜ ପୋଲିସ ଷ୍ଟେସନ ପରିସରର କବୀରପୁର ଛକ ନିକଟରେ ଉଭୟ ପକ୍ଷର ସମର୍ଥକଙ୍କ ଗାଡି ମୁହାଁମୁହିଁ ହେବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା। ଉଭୟ ପକ୍ଷ ପରସ୍ପରକୁ ପଥର ଫିଙ୍ଗିବା ସହ ଗୁଳି ଚଳାଇଥିବା ଅଭିଯୋଗ କରିଥିଲେ। ଏହି ମାମଲାରେ ଏସ୍‌ପି ପ୍ରାର୍ଥୀ ଅଭୟ ସିଂଙ୍କୁ ଗିରଫ କରାଯାଇ ପୋଲିସ ଲାଇନକୁ ଅଣାଯାଇଛି। ଅନ୍ୟପକ୍ଷରେ ଭାଜପା ପ୍ରାର୍ଥୀ ଆରତୀ ତିୱାରୀଙ୍କ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିବା ନେଇ ଏସ୍‌ପି ପ୍ରାର୍ଥୀ ଅଭିଯୋଗ କରିଛନ୍ତି। ଗିରଫ ସମୟରେ ଅଭୟ ସିଂ କହିଛନ୍ତି, ତାଙ୍କ ବିରୋଧରେ କିଛି ଷଡଯନ୍ତ୍ର ଚାଲିଛି, ସେଥିପାଇଁ ସେମାନଙ୍କୁ ଗିରଫ କରାଯାଉଛି। ଜେଲ୍‌ ଯିବା ପୂର୍ବରୁ ଅଭୟ ସିଂହ ନିର୍ବାଚନର ସମସ୍ତ କାର୍ଯ୍ୟ ତାଙ୍କ ସମର୍ଥକଙ୍କ ଉପରେ ନ୍ୟସ୍ତ କରିଛନ୍ତି।

Share