‘ସମାହିତା ସେଣ୍ଟର ଉଦ୍‌ଘାଟିତ୍‌, ଉପକୃତ ହେବେ ଦିବ୍ୟାଙ୍ଗ, ଗ୍ରାମବାସୀ

କୋରାପୁଟ,୧୨।୧୧(ଅମିତାଭ ବେହେରା): କୋରାପୁଟ ଜିଲା ଜୟପୁର ବ୍ଲକ ଅନ୍ତର୍ଗତ କୁମୁଲିପୁଟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ‘ସମାହିତା’ ପ୍ରକଳ୍ପ ଅଧୀନରେ ରିସୋର୍ସ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ୟୁରୋପୀୟ ୟୁନିୟନ ସହଯୋଗରେ ହ୍ୟୁମାନିଟି ଆଣ୍ଡ ଇନ୍‌କ୍ଲୁଜନ ଓ ଏକତା ଅନୁଷ୍ଠାନ ମିଳିତ ଭାବେ ପ୍ରକଳ୍ପର ପରିଚାଳନା କରାଯାଉଛି।

ଏହି କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଲୋକ, ମହିଳା, ଯୁବଗୋଷ୍ଠୀ ଓ ଦିବ୍ୟାଙ୍ଗମାନେ ସରକାରୀ ଯୋଜନାର ସୁବିଧା ଏବଂ ଡିଜିଟାଲ ସେବା ସମ୍ପର୍କରେ ସୂଚନା ଓ ଆବଶ୍ୟକ ସହାୟତା ପାଇପାରିବେ। ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଏକତା ଅନୁଷ୍ଠାନର ଉମେଶ କୁମାର ପାତ୍ର, ବେଞ୍ଜାମିନ ନାୟକଙ୍କ ସମେତ ବ୍ଲକ ଅଧ୍ୟକ୍ଷ, ପଞ୍ଚାୟତ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ଏଥିରେ ଜୟପୁର ବ୍ଲକର ୮ଟି ପଞ୍ଚାୟତରୁ ୪୦ରୁ ଅଧିକ ଗ୍ରାମବାସୀ ଓ ଦିବ୍ୟାଙ୍ଗ ସଂଗଠନର ସଦସ୍ୟ ଅଂଶଗ୍ରହଣ କରିଥିଲେ।

ସମାଜର ସମସ୍ତ ବର୍ଗଙ୍କୁ ସମାନ ସୁଯୋଗ ଏବଂ ଅଧିକାର ଦେଇ ବିକାଶ କ୍ଷେତ୍ରରେ ଏହି କେନ୍ଦ୍ର ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନର ଉପଦେଷ୍ଠା ଉମେଶ କୁମାର ପାତ୍ର, ପ୍ରକଳ୍ପ ପରିଚାଳକ ନାୟକ ଉପସ୍ଥିତ ଥିଲେ।

Share