ସମୁଦ୍ର ଲଙ୍ଘି ଜମିରେ ଲୁଣିପାଣି ମାଡ଼ିଲା

ମହାକାଳପଡ଼ା,୧୭ା୫(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମୋଚା ବାତ୍ୟା ପ୍ରଭାବରେ ସମୁଦ୍ର ପତ୍ତନ ବଢ଼ିଛି। ଫଳରେ ସମୁଦ୍ର ଲୁଣିପାଣି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ପାଣିଖିଆ ସାନ୍ତାଳି ଗଁା (ପଡ଼ା)ରେ ମଙ୍ଗଳବାର ଭୋରରୁ ମାଡ଼ିଯାଇଛି। ଏହି ପଡ଼ାରେ ୪୭ ପରିବାରର ୩୫୦ରୁ ଅଧିକ ଲୋକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଆଦିବାସୀ ପରିବାର ପାଣି ଘେରରେ ରହିଛନ୍ତି। ଏହି ପଡ଼ାରେ ସମୁଦ୍ର ଲୁଣିପାଣି ପ୍ରବେଶ କରି ଚାଷଜମି ସମେତ ଗଁା ଚାରିପାଖେ ଲହଡ଼ି ମାରୁଛି। ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଏବେ ବି ଆଦିବାସୀ ଅଧ୍ୟୁଷିତ ସାନ୍ତାଳପଡ଼ାକୁ ସବୁଦିନିଆ ରାସ୍ତାଟିଏ ନାହିଁ। ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। କେତେକ ପରିବାର ପଡ଼ାର କିଛି ଦୂର ଯୋର ପାର୍ଶ୍ୱରେ ଘର କରି ରହୁଛନ୍ତି। ତେବେ ଦୈନନ୍ଦିନ ଏହି ଆଦିବାସୀମାନେ ପାଣି ପିଇବା ପାଇଁ ନିକଟ ନଳକୂପକୁ ବାଉଁଶ ଚାର ପାର ହୋଇ ଯାତାୟାତ କରିଥାନ୍ତି ବୋଲି ଗଣେଶ ମାରାଣ୍ଡି, ରାମ ହେମ୍ବ୍ରମ୍‌ ଓ ବିକ୍ରମ ହେମ୍ବ୍ରମ୍‌ କହିଛନ୍ତି। ସେହିପରି ଚାଷଜମିରେ ସମୁଦ୍ର ଜଳ ମାଡ଼ିଯିବାରୁ ଚଳିତ ଖରିଫ୍‌ ଫସଲ ନଷ୍ଟ ହେବା ଆଶଙ୍କା ରହିଛି ବୋଲି ନୁଗୁର ସୋରେନ, ନିର ସୋରେନ, ବାବୁଲି ଟୁଡୁ ଓ ଗୁରୁଭା ହାଁସଦା ପ୍ରମୁଖ କହିଛନ୍ତି।