Categories: ଜାତୀୟ

କଂଗ୍ରେସକୁ ସଲମାନଙ୍କ ପରାମର୍ଶ: ଭାଜପା ପରି ବଡ଼ କଥା ଭାବନ୍ତୁ, ଏହା ହେଉଛି ସଫଳତାର ଏକମାତ୍ର ସୁତ୍ର

ନୂଆଦିଲ୍ଲୀ,୧୮।୫: କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ନିଜ ଦଳକୁ ଏକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ ଦଳ ଭାଜପା ପରି ବଡ଼ ଭାବିବା ଉଚିତ, ଏହାଦ୍ୱାରା ହଁି ଦଳ କେବଳ ବର୍ତ୍ତମାନ ପରିସ୍ଥିତିରୁ ବାହାରିପାରିବ। କଂଗ୍ରେସ ଏହି ନିରାଶାବାଦୀ ଦୃଷ୍ଟିକୋଣକୁ ଗ୍ରହଣ କରିବା ଉଚିତ ନୁହେଁ ଯେ, ଏହା ବହୁତ ଛୋଟ, ଦୁର୍ବଳ ହୋଇଯାଇଛି ଏବଂ ହଜିଯାଇଥିବା କ୍ଷମତାକୁ ପୁନର୍ବାର ପାଇପାରିବ ନାହିଁ।
ଏକ ସାକ୍ଷାତକାରରେ ସଲମାନ ଖୁର୍ସିଦ କହିଛନ୍ତି, ମୁଁ ପଶ୍ଚିମବଙ୍ଗ ଏବଂ ଆସାମରୁ ଗୋଟିଏ କଥା ଶିଖିଛି, ତୁମେ କଦାପି ଗ୍ରହଣ କରିବା ଉଚିତ ନୁହେଁ ଯେ ତୁମେ ବହୁତ ଛୋଟ, ଦୁର୍ବଳ ଏବଂ କୌଣସି ଅଞ୍ଚଳ କିମ୍ବା ରାଜ୍ୟରେ କିଛି କରିପାରିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ସ୍ଥାନଗୁଡ଼ିକରେ ଭାଜପାର ଅସ୍ତିତ୍ୱ ନ ଥିଲା ସେହି ସ୍ଥାନରେ ସେ ଜିତି ଦେଖାଇଛି। ଭାଜପାର ବଡ଼ ଚିନ୍ତାଧାରା ଯୋଗୁ ଦଳ ଏହି ସଫଳତା ପାଇଛି। ତେଣୁ କଂଗ୍ରେସକୁ ମଧ୍ୟ ନିରାଶାବାଦୀ ଚିନ୍ତାଧାରାରୁ ବାହାରି ଭାଜପା ପରି ବଡ଼ କିଛି ଭାବିଲେ ସଫଳତା ନିଶ୍ଚିତ ପାଇବ ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଖୁର୍ସିଦ ଆଶାବାଦୀ ଅଛନ୍ତି। କଂଗ୍ରେସ ଏହାର ଗଡ ହରାଇଛି ଏବଂ ଏହାକୁ ପୁନଃପ୍ରାପ୍ତ କରିପାରିବ ନାହିଁ ବୋଲି ନିରାଶାବାଦୀ ମତ ଗ୍ରହଣ କରିବା ଉଚିତ ନୁହେଁ। ମୁଁ ଭାବୁଛି କେବଳ ପ୍ରତିବଦ୍ଧତା ଓ ବିଶ୍ୱାସ ଦ୍ୱାରା ଆମେ ଏହା କରିପାରିବା ଏବଂ ଆମେ ମଧ୍ୟ କରିବା ଉଚିତ୍‌ ବୋଲି ସେ କହିଛନ୍ତି।

Share