ଯାହାକୁ ଭଲ ପାଉଥିଲି ବିବାହ କରିଥିଲେ ଆଜି ଜେଜେ ବାପା ହୋଇଥାନ୍ତି : ସଲମାନ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ୍‌ କେବେ ବିବାହ କରିବେ ଏନେଇ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ। ଏପରିକି ପ୍ରତିବର୍ଷ ସଲମାନଙ୍କୁ ଏହି ପ୍ରଶ୍ନର ସାମ୍ନା କରିବାକୁ ପଡ଼େ। କିନ୍ତୁ ଏହି ପ୍ରଶ୍ନର ଉତ୍ତର ବର୍ତ୍ତମାନ ସୁଦ୍ଧା କାହା ପାଖରେ ନାହିଁ। କିନ୍ତୁ ଜାଣନ୍ତି କି ସଲମାନ ଜଣେ ଝିଅକୁ ବହୁତ ପସନ୍ଦ କରୁଥିଲେ। କିନ୍ତୁ ହୃଦୟର କଥା ତାଙ୍କୁ କହି ନ ପାରିବାରୁ ସେ ଅନ୍ୟ ହାତ ଧରି ଚାଲିଗଲେ। ଏକଥା ଆମେ କହୁନୁ। ଖୋଦ୍‌ ସଲମାନ ଏକ ଶୋ’ରେ କହିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି।

ସଲମାନ କହିଛନ୍ତି, ସେ ଯେଉଁ ଝିଅକୁ ଭଲ ପାଉଥିଲେ ତାଙ୍କୁ ଯଦି ପ୍ରପୋଜ କରିଥାନ୍ତେ ବା ବିବାହ ପ୍ରସ୍ତାବ ଦେଇଥାନ୍ତେ ଆଜି ସେ ଜେଜେ ବାପା ହୋଇଥାନ୍ତେ।

ବିଗ ବସ୍‌-୧୩ରେ ଅଜୟ ଦେବଗନ ଏବଂ କାଜୋଲଙ୍କ ସହ ଖେଳାଯାଇଥିବା ଏକ ମଜାଦାର ଗେମ୍‌ରେ ସଲମାନ ନିଜେ ଏହି କଥା କହିଛନ୍ତି। ସେ କହିଛନ୍ତି, ଥରେ ସେ ଝିଅଟିର କୁକୁର ତାଙ୍କୁ କାମୁଡ଼ି ଦେଇଥିଲା। ପରେ ମୁଁ ତାଙ୍କୁ ପ୍ରକୃତରେ ପସନ୍ଦ କରିଥିଲି ମାତ୍ର ପ୍ରତ୍ୟାଖ୍ୟାନ ଭୟରେ କଦାପି କହି ପାରିଲି ନାହିଁ। ଖାଲି ଏତିକି ନୁହେଁ ତାଙ୍କ ତିନି ସାଙ୍ଗ ମଧ୍ୟ ସେହି ଝିଅକୁ ଭଲ ପାଉଥିଲେ। ପରେ ସଲମାନ ଜାଣିଲେ ଝିଅଟି ତାଙ୍କୁ ମଧ୍ୟ ପସନ୍ଦ କରେ।

ଏହି ପୂରା ଘଟଣାକୁ ମନେ ପକାଇ ସଲମାନ ହସିବାକୁ ଲାଗିଲେ ଏବଂ କହିଲେ, ଠିକ୍‌ ୧୫-୨୦ ବର୍ଷ ପରେ ସେ ଝିଅ ସହ ମୋର ଦେଖା ହୋଇଥିଲା। ଏବେ ସେ ଜେଜେମା ହୋଇସାରିଲେଣି। ମୋତେ କହିଲେ, ମୋର ନାତିନାତୁଣୀ ତୁମର ପ୍ରଶଂସକ। ସେମାନେ ତୁମ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି। ସଲମାନ କହିଛନ୍ତି, ସେ ତାଙ୍କ ମନର କଥା ନ କହି ଠିକ୍‌ କରିଛନ୍ତି ନହେଲେ ଏବେ ଜେଜେ ବାପା ହୋଇଥାନ୍ତେ। ସଲମାନଙ୍କ କଥା ଶୁଣି ଶୋ’ରେ ବେଶ୍‌ ହାସ୍ୟରୋଳ ସୃଷ୍ଟି ହୋଇଥିଲା।

Share