ଗୋଟିଏ ଆଖି ହରାଇଲେ ସଲମାନ୍‌ ରଶ୍‌ଡି

ମାଦ୍ରିଦ୍‌, ୨୩ା୧୦:‘ଦ ସାଟାନିକ୍‌ ଭର୍ସେସ୍‌’ର ଲେଖକ ୭୫ ବର୍ଷୀୟ ସଲମାନ୍‌ ରଶ୍‌ଡି ଗୋଟିଏ ଆଖି ହରାଇଛନ୍ତି। ଏଥିସହ ତାଙ୍କର ଏକ ହାତ ମଧ୍ୟ ଅଚଳ ହୋଇଯାଇଥିବା ରଶ୍‌ଡିଙ୍କ ଏଜେଣ୍ଟ ସୂଚନା ଦେଇଛନ୍ତି। ୧୯୮୦ ଦଶକରୁ ତାଙ୍କ ଉପନ୍ୟାସ ପାଇଁ ଇରାନ୍‌ରୁ ବାରମ୍ବାର ହତ୍ୟା ଧମକ ପାଇଆସୁଥିବା ରଶ୍‌ଡି ଗତ ଅଗଷ୍ଟ ୧୨ରେ ନ୍ୟୁୟର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ସେ ବକ୍ତବ୍ୟ ରଖିବାବେଳେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ୨୪ ବର୍ଷୀୟ ହାଦି ମାତର୍‌ ତାଙ୍କ ତଣ୍ଟି ଏବଂ ଛାତିରେ ଛୁରି ଭୁସି ହତ୍ୟା ଉଦ୍ୟମ କରିଥିଲେ। ହାଦି ମାତର୍‌ଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା। ତେବେ ରଶ୍‌ଡି ଏବେ ହସ୍ପିଟାଲରେ ଅଛନ୍ତି ନା ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Share