Categories: ଜାତୀୟ

ଅଲିଗଡ଼ରେ ପହଞ୍ଚିଲେ ସଲମାନ ଖୁର୍ସିଦ: ଭାରତ ଯୋଡୋ ଯାତ୍ରା ପାଇଁ ଏସ୍‌ପି ମୁଖ୍ୟଙ୍କୁ କରିବେ ନିମନ୍ତ୍ରଣ

ଅଲିଗଡ଼,୩୦।୧୨: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସଲମାନ ଖୁର୍ସିଦ ଉତ୍ତରପ୍ରଦେଶର ଅଲିଗଡ଼ରେ ପହଞ୍ଚିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରି ରହିଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହେବା ପାଇଁ ଏସ୍‌ପି ସୁପ୍ରିମୋ ଅଖିଳେଶ ଯାଦବଙ୍କୁ ନିମନ୍ତ୍ରଣ କରିବାକୁ ସେ ଅଲିଗଡ଼ରେ ପହଞ୍ଚିଥିବା ଜଣାପଡ଼ିଛି। ୩ ଦିନ ଧରି ଅଖିଳେଶ ଗସ୍ତରେ ଥିବାରୁ ତାଙ୍କ ସହ ଆଲୋଚନା ହୋଇପାରିନାହିଁ। ବର୍ତ୍ତମାନ ଆଲୋଚନା ହେବ ବୋଲି ଖୁର୍ସିଦ କହିଛନ୍ତି। ଗୁରୁବାର ଗଣମାଧ୍ୟମ ସହ ବାର୍ତ୍ତାଳାପରେ ସଲମାନ ଖୁର୍ସିଦ କହିଛନ୍ତି, ଜାନୁଆରୀ ୩ରୁ ଉତ୍ତରପ୍ରଦେଶରେ ଆରମ୍ଭ ହେବାକୁ ଥିବା ଭାରତ ଯୋଡୋ ଯାତ୍ରା ପାଇଁ ଅଲିଗଡର ବାସିନ୍ଦାଙ୍କୁ ନିମନ୍ତ୍ରଣ କରିବାକୁ ସେ ଆସିଛନ୍ତି। ଅଲିଗଡ ଏବଂ ଏଏମ୍‌ୟୁ ସର୍ବଦା ଏକତା, ଭାଇଚାରା ଏବଂ ପ୍ରେମର ବାର୍ତ୍ତା ଦେଇଥାଏ। ତେଣୁ ଏହି ଯାତ୍ରାରେ ସେମାନଙ୍କ ବଡ଼ ସମର୍ଥନ ରହିବ ବୋଲି ଖୁର୍ସିଦ ଆଶା ବ୍ୟକ୍ତ କରିଛନ୍ତି। ଏଥିସହ ସେ କହିଛନ୍ତି, ବର୍ତ୍ତମାନ ଦେଶର ଅବସ୍ଥା ଅତ୍ୟନ୍ତ ଖରାପ୍‌। ଦେଶକୁ ଏକଜୁଟ କରିବାର ଆବଶ୍ୟକତା ରହିଛି। ଯେଉଁଥିପାଇଁ ଭାରତ ଯୋଡା ଯାତ୍ରା କଂଗ୍ରେସ ଦ୍ୱାରା ପରିଚାଳିତ ହେଉଛି। ଏହି ଯାତ୍ରା କେବଳ କଂଗ୍ରେସର ନୁହେଁ ସମସ୍ତଙ୍କର। କେବଳ କଂଗ୍ରେସ ଏହାକୁ ପରିଚାଳିତ କରୁଛି। ଏହି ଯାତ୍ରାକୁ ବନ୍ଦ କରିବାକୁ କରୋନା ଭୟ ଦେଖାଯାଉଛି। ଅନ୍ୟପଟେ ବିଏସ୍‌ପି ସଭାପତି ମାୟାବତୀ ଏହି ଗସ୍ତକୁ ପ୍ରଶଂସା କରିଛନ୍ତି। ଅନ୍ୟ ଅନେକ ଛୋଟ ଦଳ ଏହି ଯାତ୍ରାରେ ଯୋଗଦେଉଥିବା ଦେଖିବାକୁ ମିଳିଛି।

Share