ମୁମ୍ବାଇ,୨୧।୧୦: ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼ ଘଟଣାକୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ଏହି ମାମଲାରେ ରାଜସ୍ଥାନର କୋଟାରୁ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କୁ ପଚରାଉଚରା ବେଳେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିବା ରିପୋର୍ଟ ପ୍ରକାଶ ପାଇଛି। ତେବେ ଟାଇଗର ଶ୍ରଫ ନୁହନ୍ତି, ବରଂ ବଲିଉଡ ଅଭିନେତା ସଲମାନ ଖାନ ଶୁଟରଙ୍କ ପ୍ରକୃତ ଟାର୍ଗେଟ ଥିଲେ ବୋଲି ଦାବି କରାଯାଉଛି।
ଏକ ରିପୋର୍ଟ ଅନୁଯାୟୀ, ରବିବାର ଜୁହୁରେ ହୋଇଥିବା ଗୁଳିମାଡ଼ ଘଟଣାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ପ୍ରକୃତ ଟାର୍ଗେଟ ଥିଲେ ସଲମାନ ଖାନ। ଟାଇଗର ଶ୍ରଫ ଗ୍ୟାଙ୍ଗର ଦ୍ୱିତୀୟ ବିକଳ୍ପ ଥିଲେ ଏବଂ ତାଙ୍କୁ ସହଜ ଟାର୍ଗେଟ ବୋଲି ବିବେଚନା କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି।
ରିପୋର୍ଟ ଅନୁସାରେ, ରବିବାର ସନ୍ଧ୍ୟାରେ ଟାଇଗର ଶ୍ରଫଙ୍କ କାର୍ ଉପରେ ଗୁଳି ଚଳାଇଥିବା ଦୁଇ ଶୁଟର ପ୍ରଥମେ ବାନ୍ଦ୍ରା ପଶ୍ଚିମର ବ୍ୟାଣ୍ଡଷ୍ଟାଣ୍ଡ ଅଞ୍ଚଳରେ ଥିବା ସଲମାନ ଖାନଙ୍କ ଘର ଉପରେ ନଜର ରଖିଥିଲେ। କିନ୍ତୁ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବାରୁ ସେମାନେ ଆକ୍ରମଣ କରିପାରି ନଥିଲେ। ଏହାପରେ ଗ୍ୟାଙ୍ଗ ତୁରନ୍ତ ନିଜ ଯୋଜନା ବଦଳାଇ ଅନ୍ୟ ଏକ ସହଜ ଟାର୍ଗେଟ ଖୋଜିଥିଲା। ପୁଲିସ ସୂତ୍ର ଅନୁଯାୟୀ, ଟାଇଗର ଶ୍ରଫଙ୍କ ବ୍ୟକ୍ତିଗତ ପୋଲିସ ସୁରକ୍ଷା ମିଳିନଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିଲା।
ପୋଲିସ ସୂତ୍ର ଅନୁଯାୟୀ, ଅଭିନେତାଙ୍କ ପ୍ରଶଂସକଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଗ୍ୟାଙ୍ଗ ଟାଇଗର ଶ୍ରଫଙ୍କ ଦୈନନ୍ଦିନ କାର୍ଯ୍ୟକ୍ରମ ବିଷୟରେ ଜାଣିଥିଲା। ସେ ପ୍ରତି ରବିବାର ଫୁଟବଲ ଖେଳିବାକୁ ଯାଉଥିବା ଏବଂ ସେଠାରେ ତାଙ୍କୁ ବିଶେଷ ସୁରକ୍ଷା ମିଳୁନଥିବା ସୂଚନା ଗ୍ୟାଙ୍ଗ ପାଇଥିଲା।
ରିପୋର୍ଟ ଅନୁଯାୟୀ, ସଲମାନ ଖାନଙ୍କୁ ଟାର୍ଗେଟ କରିବା ସମ୍ଭବ ନୁହେଁ ବୋଲି ଶୁଟରମାନେ ବିଷ୍ଣୋଇ ଗ୍ୟାଙ୍ଗର ଘନିଷ୍ଠ ସହଯୋଗୀ ଅମିତ ପଣ୍ଡିତଙ୍କୁ ଜଣାଇଥିଲେ। ଏହାପରେ ସୋସିଆଲ ମିଡିଆରୁ ଟାଇଗର ଶ୍ରଫ ପ୍ରତି ରବିବାର ଜୁହୁର ପୁଷ୍ପା ନରସି ଗ୍ରାଉଣ୍ଡରେ ଫୁଟବଲ ଖେଳୁଥିବା ସୂଚନା ମିଳିଥିଲା।
ପୋଲିସ ସୂତ୍ର ଅନୁସାରେ, ବନ୍ଧୁକଧାରୀ ଶୁଟରମାନେ କିଛି ସମୟ ଧରି ଟାଇଗରଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଅଭିନେତାଙ୍କ କାର୍ ଗେଟ ବାହାରକୁ ଆସିବା ମାତ୍ରେ ସେମାନେ ଗୁଳି ଚଳାଇଥିଲେ।
ଏହି ଗୁଳିମାଡ଼ରେ ଟାଇଗର ଶ୍ରଫ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି। ଦୁଇ ଜଣ ଶୁଟର ଏବଂ ଅନ୍ୟ ଜଣେ ସହଯୋଗୀ ବାଇକ ନେଇ ଫେରାର ହେବାକୁ ଅପେକ୍ଷା କରିଥିଲେ ବୋଲି ରିପୋର୍ଟରେ କୁହାଯାଇଛି।
ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ସଲମାନ ଖାନଙ୍କ ଘର ଉପରେ ନଜର ରଖିଥିବା ତଥ୍ୟ ମିଳିଛି। କିନ୍ତୁ ଏହା ପଛରେ ପ୍ରକୃତ ଉଦ୍ଦେଶ୍ୟ କ’ଣ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଅଭିଯୁକ୍ତମାନେ ନିଜ ହ୍ୟାଣ୍ଡଲରଙ୍କୁ ପଠାଇବା ପାଇଁ ଫଟୋ ଉଠାଉଥିବାରୁ ସେମାନଙ୍କ ମୋବାଇଲ ଫୋନ ଯାଞ୍ଚ କରାଯିବ ବୋଲି ପୋଲିସ କହିଛି।