ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ

ମୁମ୍ବାଇ,୫।୬:ବଲିଉଡର ସୁପରଷ୍ଟାର୍‌ ସଲମାନ ଖାନଙ୍କୁ ହତ୍ୟା ଧମକ ଦିଆଯାଇଛି। ଏହି ଧମକ ଏକ ଚିଠି ମାଧ୍ୟମରେ ଦିଆଯାଇଛି। ସଲମାନ ଖାନଙ୍କ ପିତା ସଲିମ ଖାନ ରବିବାର ସକାଳେ ବୁଲିବାକୁ ଯାଇଥିଲେ। ସେ କିଛି ସମୟ ବିଶ୍ରାମ ନେବାକୁ ବେଞ୍ଚରେ ବସିଥିବାବେଳେ ତାଙ୍କୁ ସଲମାନଙ୍କ ନାମରେ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା।
ଏହି ଚିଠିରେ ଲେଖାଯାଇଛି ଯେ, ସଲମାନଙ୍କ ଅବସ୍ଥା ସିଦ୍ଧୁ ମୂସେୱଲାଙ୍କ ଭଳି କରିଦେବୁ। ସଲିମଙ୍କୁ ଏହି ଚିଠି ରବିବାର ସକାଳ ୭.୩୦ ରୁ ୮.୦୦ ଭିତରେ ମିଳିଥିଲା। ବାନ୍ଦ୍ରା ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନିକଟରେ ପଞ୍ଜାବୀ ଗାୟକ ସିଦ୍ଧୁ ମୂସେୱଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।
ସଲମାନ ନିକଟରେ ଦୁବାଇରେ ଆୟୋଜିତ ଆଇଫା ପୁରସ୍କାରରେ ଯୋଗ ଦେଇ ମୁମ୍ବାଇ ଫେରିଛନ୍ତି। ସଲମାନ ଖୁବଶୀଘ୍ର ‘ଟାଇଗର-୩’ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିବ।

Share