ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ୍‌, ଏମିତି କହିଲେ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୩।୭: ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ଛାତ୍ର ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଏହି ଆନ୍ଦୋଳନ ଆରମ୍ଭରୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କିଛି ଲୋକ ଏହାକୁ ରାଜନୈତିକ ରୂପ ଦେବାକୁ ଚେଷ୍ଟା କଲେ, ଯାହା ଫଳରେ ପରିସ୍ଥିତି ବିଗିଡ଼ିଗଲା। ସଲମାନ ହିଂସା ଘଟଣାରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଏହି ସମୟରେ ଯେଉଁ ଛାତ୍ର ଏବଂ ସେମାନଙ୍କ ପରିବାର ଆହତ ହୋଇଛନ୍ତି, ସେମାନଙ୍କ ପ୍ରତି ତାଙ୍କର ସମ୍ପୂର୍ଣ୍ଣ ସମବେଦନା ରହିଛି। ସେ ପ୍ରଶ୍ନପତ୍ର ଲିକ୍ (Paper Leak) କୁ ଏକ ଅତ୍ୟନ୍ତ ଗମ୍ଭୀର ମୁଦ୍ଦା ବୋଲି କହିବା ସହ ଏହା ବିରୋଧରେ ଛାତ୍ରମାନେ ସ୍ୱର ଉତ୍ତୋଳନ କରିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ବୋଲି ପ୍ରକାଶ କରିଛନ୍ତି।

ଅଭିନେତା କହିଛନ୍ତି ଯେ, ସାରା ଦେଶର ଛାତ୍ରଛାତ୍ରୀମାନେ ଶ୍ରେଷ୍ଠ ଶିକ୍ଷା ବ୍ୟବସ୍ଥାର ଦାବି ନେଇ ଯେପରି ଏକଜୁଟ୍ ହୋଇ ସ୍ୱର ଉଠାଇଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ। ସଲମାନଙ୍କ କହିବା ଅନୁଯାୟୀ, ଛାତ୍ରମାନେ କଠିନ ପରିଶ୍ରମ କରି ପଢ଼ିବା, ନିଜର ଭବିଷ୍ୟତ ଗଢ଼ିବା ଏବଂ ଦେଶକୁ ଶିକ୍ଷିତ କରିବାର ଚିନ୍ତାଧାରା ନେଇ ଏହି ଆନ୍ଦୋଳନ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଛାତ୍ରମାନଙ୍କ ବାପା-ମା’ ମଧ୍ୟ ସେମାନଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି, ଯାହାକି ଏକ ଅତ୍ୟନ୍ତ ସକାରାତ୍ମକ କଥା। ଅଭିନେତାଙ୍କ ମତରେ, ଛାତ୍ରମାନେ ପୂରା ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଭାବେ ଆଗେଇ ନେଇଥିଲେ ଏବଂ ସେମାନେ ଯେଉଁ ସାହସ ଓ ଦାୟିତ୍ୱବୋଧର ପରିଚୟ ଦେଇଛନ୍ତି, ତାହା ପ୍ରଶଂସାର ଯୋଗ୍ୟ।

ଆନ୍ଦୋଳନକୁ ରାଜନୈତିକ ରଙ୍ଗ ଦିଆଯିବା ଉଚିତ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସଲମାନ ନିଜ ପୋଷ୍ଟରେ ନିକଟରେ ଘଟିଥିବା ହିଂସା ପ୍ରତି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହିଂସାତ୍ମକ ରୂପ ନେବା ଦୁର୍ଭାଗ୍ୟଜନକ ବୋଲି କହିବା ସହ ଆହତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେ କହିଛନ୍ତି, ଦେଶର ଯୁବପିଢ଼ି ଶିକ୍ଷା ପ୍ରତି ଯେଉଁ ଦାୟିତ୍ୱବୋଧ ଓ ଉତ୍ସାହ ଦେଖାଇଛନ୍ତି, ତାହା ଭବିଷ୍ୟତରେ ଭାରତକୁ ଗର୍ବିତ କରିବ ।

ଅଭିନେତା ଆହୁରି ଆଶା ପ୍ରକାଶ କରିଛନ୍ତି ଯେ, ସରକାର ମଧ୍ୟ ଛାତ୍ରଛାତ୍ରୀଙ୍କ କଥାକୁ ଗୁରୁତ୍ୱର ସହ ଶୁଣିବେ ଏବଂ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନେବେ । ଭାରତ ଏପରି ଏକ ଶିକ୍ଷା କେନ୍ଦ୍ର ହେଉ, ଯେଉଁଠାକୁ ବିଶ୍ୱର ବିଭିନ୍ନ ଦେଶର ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଆସିବେ ବୋଲି ସେ ଇଚ୍ଛା ପ୍ରକାଶ କରିଛନ୍ତି । ସଲମାନ ଖାନଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ବହୁ ପ୍ରଶଂସକ ଓ ସାଧାରଣ ଲୋକ ତାଙ୍କ ମତକୁ ସମର୍ଥନ କରିଥିବାବେଳେ, ଏହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।