ମା’ଙ୍କ ମୃତ୍ୟୁର ଦିନକ ପରେ କରୋନାରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ଭାରତରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜ୍ୟରେ ହଠାତ୍‌ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି। ମଙ୍ଗଳବାର ହିମାଚଳପ୍ରଦେଶରେ କରୋନାରେ ୧୨ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ମୃତକଙ୍କ ମଧ୍ୟରେ ଜଣେ ଅଭିନେତା ମଧ୍ୟ ରହିଛନ୍ତି। ସେ ହେଲେ ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ରେ ଅଭିନୟ କରିଥିବା ଅଭିନେତା ହରିଶ ବାନଚାଟା। ଫିଲ୍ମରେ ହରିଶ ପାକିସ୍ତାନୀ ପୋଲିସ ଅଫିସର ଚରିତ୍ରରେ ଅଭିନୟ କରିଥିଲେ।
ହରିଶଙ୍କୁ ପ୍ରଥମେ ଜ୍ୱର ହୋଇଥିଲା। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। କରୋନା ଟେଷ୍ଟ ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। ତେବେ ଦୁଃଖର କଥା ହେଲା ହରିଶଙ୍କ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଥିଲା। ୧୮ ବର୍ଷର ଅଭିନୟ କ୍ୟାରିୟରରେ ହରିଶ ଅନେକ ଧାରାବାହିକ ଏବଂ ଫିଲ୍ମରେ କାମ କରିଥିଲେ। ସିଆଇଡି ଏବଂ କ୍ରାଇମ ପେଟ୍ରୋଲ ପରି ଧାରାବାହିକରେ ସେ କାମ କରିସାରିଛନ୍ତି।

Share