ମୁମ୍ବାଇ: ୨୦୨୭ ମସିହା ଇଦ୍ ଅବସରରେ ବକ୍ସ ଅଫିସରେ ଏକ ବଡ଼ ଧରଣର ମହାଲଢ଼େଇ ଦେଖିବାକୁ ମିଳିବ। ବଲିଉଡର ସୁଲତାନ ସଲମାନ ଖାନଙ୍କ ଆଗାମୀ ଆକ୍ସନ ଫିଲ୍ମ ଏବଂ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ମଧ୍ୟରେ ଏହି କଡ଼ା ଟକ୍କର ହେବାକୁ ଯାଉଛି। ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ବଢ଼ିବାରେ ଲାଗିଛି।
ଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ମାତୃଭୂମି’ର ରିଲିଜ ତାରିଖ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ, ସେ ନିଜର ପରବର୍ତ୍ତୀ ବଡ଼ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିସାରିଛନ୍ତି। ପ୍ରଯୋଜକ ଦିଲ ରାଜୁ ଏବଂ ନିର୍ଦ୍ଦେଶକ ଭାମଶୀ ପୈଡିପଲ୍ଲୀଙ୍କ ସହ ସଲମାନ ଏକ ଦମଦାର ଆକ୍ସନ ଡ୍ରାମା ଫିଲ୍ମ ନେଇ ଆସୁଛନ୍ତି, ଯାହା ୨୦୨୭ ମସିହା ଇଦ ଅବସରରେ ମୁକ୍ତିଲାଭ କରିବ। ତେବେ ସଲମାନଙ୍କ ଏହି ଫିଲ୍ମ ସହିତ ସାଉଥ ଅଭିନେତା ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ’ସ୍ପିରିଟ’ (Spirit)ର କ୍ଲାସ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।
ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ନିର୍ଦ୍ଦେଶିତ ‘ସ୍ପିରିଟ’ରେ ପ୍ରଭାସ ଓ ତୃପ୍ତି ଡିମ୍ରି ମୁଖ୍ୟ ଭୂମିକାରେ ଥିବା ବେଳେ ବିବେକ ଓବରଏ ମୁଖ୍ୟ ଖଳନାୟକ (Villain) ଭାବେ ନଜର ଆସିବେ। ଫେବୃଆରୀରେ ବିବେକଙ୍କ ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ ହୋଇଥିଲା, ଯେଉଁଥିରେ ତାଙ୍କୁ ଜଣେ ଶକ୍ତିଶାଳୀ ଖଳନାୟକ ଅବତାରରେ ଦେଖିବାକୁ ମିଳିଥିଲା।
ସ୍ପିରିଟ ନିର୍ମାତାଙ୍କ ପକ୍ଷରୁ ଏହି ଫିଲ୍ମର ରିଲିଜ ତାରିଖ ୫ ମାର୍ଚ୍ଚ ୨୦୨୭ ଘୋଷଣା କରାଯାଇଛି। ସଲମାନ ଏହି ଫିଲ୍ମଟିକୁ ଇଦ୍ରେ ରିଲିଜ କରିବେ ବୋଲି କହିଛନ୍ତି। ୨୦୨୭ରେ ଇଦ ୯ କିମ୍ବା ୧୦ ମାର୍ଚ୍ଚରେ ପଡ଼ୁଛି। ଏହି ଦୁଇଟି ବଡ଼ ଫିଲ୍ମ ମଧ୍ୟରେ ମାତ୍ର ୪ ରୁ ୫ ଦିନର ପାର୍ଥକ୍ୟ ରହିବ, ଯାହା ବକ୍ସ ଅଫିସରେ ବଡ଼ ଧରଣର ପ୍ରଭାବ ପକାଇପାରେ।
କେବଳ ଅଭିନେତା ନୁହଁନ୍ତି, ଅଭିନେତ୍ରୀଙ୍କ ମଧ୍ୟରେ ବି ଏହି ଲଢ଼େଇ ଦେଖିବାକୁ ମିଳିବ। ସଲମାନଙ୍କ ଫିଲ୍ମରେ ସାଉଥ ଲେଡି ସୁପରଷ୍ଟାର ନୟନତାରା ନଜର ଆସିବାକୁ ଥିବା ବେଳେ ‘ସ୍ପିରିଟ’ରେ ନ୍ୟାସନାଲ କ୍ରସ ତୃପ୍ତି ଡିମ୍ରି ଅଛନ୍ତି। ୨୦୨୭ରେ ଏହି ଦୁଇ ବଡ଼ ଚଳଚ୍ଚିତ୍ର ମଧ୍ୟରୁ କିଏ ବକ୍ସ ଅଫିସରେ ବାଜି ମାରୁଛି, ତାହା ଦେଖିବା ବେଶ ଆକର୍ଷଣୀୟ ହେବ।
Dharitri – Odisha’s No.1 Odia Daily