Categories: ଖେଳ

କ୍ରିକେଟର ଅଘୋଷିତ ରାଜକୁମାର ସଲିମ୍‌ ଦୁରାନୀ

ନୂଆଦିଲ୍ଲୀ,୩ା୪(ପି.ଟି.): ଭାରତର କିମ୍ବଦନ୍ତୀ କ୍ରିକେଟର ସଲିମ୍‌ ଦୁରାନୀଙ୍କ ପରଲୋକ। ୮୮ ବର୍ଷ ବୟସରେ ରବିବାର ସଲିମ୍‌ ପ୍ରାଣ ହରାଇଛନ୍ତି। ୬୦ ଦଶକର ଏହି ଲୋକପ୍ରିୟ କ୍ରିକେଟର ଜଣଙ୍କ ନିଜ ଆକ୍ରମଣାତ୍ମକ କ୍ରିକେଟ ଖେଳ ଏବଂ ଯାଦୁକରୀ ସ୍ପିନ୍‌ ବୋଲିଂ ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲେ। ଶେଷ ସମୟରେ ସେ ଭାଇ ଜାହାଙ୍ଗୀର ଦୁରାନୀଙ୍କ ସହ ଗୁଜରାଟର ଜାମନଗରରେ ବାସ କରୁଥିଲେ। ଗତବର୍ଷ ଜାନୁୟାରୀରେ ତାଙ୍କର ଜଂଘ ହାଡ଼ ଭାଙ୍ଗିଯାଇଥିବାରୁ ତାହା ଅପରେଶନ କରାଯାଇଥିଲା। କାବୁଲରେ ଜନ୍ମିତ ଏହି ଅଲ୍‌ରାଉଣ୍ଡର ଜଣକ ଭାରତ ପାଇଁ ୨୯ ଟେଷ୍ଟ ଖେଳି ୧୨୦୨ ରନ୍‌ କରିଥିବା ବେଳେ ବାମହାତୀ ଅର୍ଥୋଡକ୍ସ ସ୍ପିନ୍‌ ଜରିଆରେ ୭୪ ଉଇକେଟ ନେଇଥିଲେ। ୨୯ ଟେଷ୍ଟରେ ସେ ଗୋଟିଏ ଶତକ ଓ ୭ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

୬୦ ଦଶକରେ ଦୁରାନୀ ନିଜ କ୍ରିକେଟ ଲାଗି ଯେତିକି ଚର୍ଚ୍ଚିତ ଥିଲେ ସମାନ ଭାବରେ ନିଜର ଡ୍ରେସିଂ ସେନ୍ସ ଓ ହ୍ୟାଣ୍ଡସମ୍‌ ଚେହେରା ପାଇଁ ଚର୍ଚ୍ଚାରେ ରହିଥିଲେ। ୧୯୬୧-୬୨ରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ବିଶିଷ୍ଟ ସିରିଜ୍‌କୁ ଭାରତ ୨-୦ରେ ଜିତିଥିଲା। କୋଲ୍‌କାତା ଓ ମାଡ୍ରାସ ଟେଷ୍ଟରେ ସେ ଯଥାକ୍ରମେ ୮ ଓ ୧୦ ଉଇକେଟ ନେଇ ଏହି ସିରିଜ୍‌ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଐତିହାସିକ ଇଂଲଣ୍ଡ ସିରିଜ୍‌ ବିଜୟର ଏକ ଦଶନ୍ଧି ପରେ ଓ୍ବେଷ୍ଟଇଣ୍ଡିଜର ପୋର୍ଟ ଅଫ୍‌ ସ୍ପେନ୍‌ରେ ଭାରତ ବିଜୟୀ ହୋଇଥିଲା।

କ୍ଲାଇଭ୍‌ ଲଏଡ୍‌ ଓ ସାର୍‌ ଗାରଫିଲ୍ଡ ସୋବର୍ସଙ୍କ ଉଇକେଟ ନେଇ ସେ ଭାରତକୁ ବିଜୟୀ କରାଇଥିଲେ। ଏହାସହିତ ୧୯୭୩ ମସିହାରେ ପରବିନ୍‌ ବାବିଙ୍କ ସହ ଚରିତ୍ର ନାମକ ଏକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ୧୯୬୦ ମସିହାରେ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜ କ୍ୟାରିୟର ଆରମ୍ଭ କରିଥିବା ବେଳେ ସମାନ ଷ୍ଟାଡିୟମରେ ୧୩ ବର୍ଷ ପରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ କ୍ୟାରିୟରର ଶେଷ ମ୍ୟାଚ୍‌। ଦୁରାନୀଙ୍କ ଉଚ୍ଚତା କାରଣରୁ ସେ ଯେକୌଣସି ପିଚ୍‌ରେ ପ୍ରଭାବୀ ବୋଲିଂ କରୁଥିବା ବେଳେ ବ୍ୟାଟିଂରେ ମଧ୍ୟ ବିପକ୍ଷ ଦଳକୁ ଅସୁବିଧାରେ ପକାଇବାରେ ସକ୍ଷମ ହେଉଥିଲେ। ଏପରି କି ଦୁରାନୀଙ୍କ ଅନେକ ସାଥୀ ଖେଳାଳି ତାଙ୍କୁ ଦର୍ଶକଙ୍କ କ୍ରିକେଟର ଭାବେ ବିବେଚନା କରନ୍ତି।

ଦର୍ଶକଙ୍କ ଦାବି ଅନୁସାରେ ଦୁରାନୀ ଛକା ଓ ଚୌକା ମାରିବାରେ ସଫଳ ହୁଅନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ଦୁରାନୀ ୧୪ ଶତକ ସହ ୮୫୪୫ ରନ୍‌ ଓ ୪୮୪ ଉଇକେଟ ନେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ୩ ଥର ୫ ଉଇକେଟ ସଫଳତା ପାଇଥିବା ବେଳେ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୨୧ ଥର ଏହି ସଫଳତା ହାସଲ କରିଛନ୍ତି। ପ୍ରଥମ ଭାରତୀୟ କ୍ରିକେଟର ଭାବେ ସେ ଅର୍ଜୁନ ପୁରସ୍କାର ହାସଲ କରିଥିଲେ। ଦର୍ଶକଙ୍କ ଫେଭରିଟ୍‌ କ୍ରିକେଟର ରହିଥିବା ଦୁରାନୀଙ୍କୁ ଏକଦା କାନପୁର ଟେଷ୍ଟରେ ଦଳରୁ ବାଦ୍‌ ଦିଆଯାଇଥିବା ବେଳେ ଦର୍ଶକ ଗ୍ୟାଲେରିରେ ‘ନୋ ଦୁରାନୀ ନୋ ଟେଷ୍ଟ’ର ପ୍ଲା କାର୍ଡ ଦେଖିବାକୁ ମିଳିଥିଲା। ୨୫ ବର୍ଷ ଘରୋଇ କ୍ରିକେଟ ଖେଳିଥିବା ଦୁରାନୀ ଗୁଜରାଟ, ରାଜସ୍ଥାନ ଓ ସୌରାଷ୍ଟ୍ର ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି।

Share